ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦୀର୍ଘ 8 ଘଣ୍ଟା କାଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଜେରା କରିଛି ପ୍ରବର୍ତ୍ତନ ନର୍ଦ୍ଦେଶାଳୟ ତଥା ଇଡି । ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହୋଇଥିଲେ ଅଭିଷେକ ।
ଜେରା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଅଭିଷେକ ବାନାର୍ଜୀ । ସେ କହିଛନ୍ତି, ଇଡି, ସିବିଆଇ, ଆୟକର, ଯାହା ଇଚ୍ଛା ମୋ ପଛରେ ଲଗାଅ । ହେଲେ ମୁଁ ଭୟଭୀତ ହେବି ନାହିଁ । ସବୁର ଯାଞ୍ଚ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଅଭିଷେକ ।
ଅଭିଷେକ ଆହୁରି ମଧ୍ୟ କହିଛନ୍ତି ଯେ ଭିତରେ କଣ ଘଟିଛି ମୁଁ କହିପାରିବି ନାହିଁ। ଯଦି ବିଜେପି ଅନୁଭବ କରୁଛି ଯେ ଅନ୍ୟ ରାଜନୈତିକ ଦଳ ଭଳି ଟିଏମସି ମଧ୍ୟ ଘରେ ବସିବା, ତେବେ ଏହା ଘଟିବ ନାହିଁ । ସେ କହିଛନ୍ତି ଯେ 25 ଜଣ ବିଜେପି ବିଧାୟକ ଲାଇନରେ ଅଛନ୍ତି, ଆମେ ଏହାକୁ ନେଉନାହୁଁ । 2024ରେ ଆମେ ବିଜେପିକୁ ପରାସ୍ତ କରିବୁ । ଟିଏମସି ପ୍ରତ୍ୟେକ ରାଜ୍ୟକୁ ଯିବ ଯେଉଁଠାରେ ବିଜେପି ସରକାର ଅଛି ।