ରାଞ୍ଚି:ଝାଡଖଣ୍ଡର ଖଣି ସଚିବ ପୂଜା ସିଙ୍ଗଲଙ୍କ ଚାର୍ଟାର୍ଡ ଆକାଉଟାଣ୍ଟ(CA) ସୁମନ କୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । 36 ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଅପରେସନରେ ଝାଡଖଣ୍ଡରୁ ଏହା ହେଉଛି ପ୍ରଥମ ଗିରଫଦାରୀ ଘଟଣା । ସୁମନଙ୍କୁ ଗିରଫ କରାଯିବା ପରେ ଡାକ୍ତରୀ ପରୀକ୍ଷା କରାଯାଇ ତାଙ୍କୁ ଜେଲକୁ ପଠାଯାଇଥିଲା । ଦୀର୍ଘ 36 ଘଣ୍ଟା ଧରି ତାଙ୍କ ଘରେ ଚଢାଉ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ମଧ୍ୟ ଜବତ ହୋଇଛି ।
ଝାଡଖଣ୍ଡର ଖଣି ଏବଂ ଶିଳ୍ପ ବିଭାଗର ସଚିବ ପୂଜା ସିଙ୍ଗଲଙ୍କ ଚାର୍ଟାର୍ଡ ଆକାଉଟାଣ୍ଟ ସୁମନ କୁମାରଙ୍କୁ ଇଡି ପ୍ରାୟ 150 କୋଟି ଇନଭେଷ୍ଟମେଣ୍ଟ ଦଲିଲ ସହିତ ଘରୁ ଜବତ ହୋଇଥିବା ପ୍ରାୟ 19.31 କୋଟି ଟଙ୍କା ସମ୍ପର୍କରେ ଦୀର୍ଘ 16 ଘଣ୍ଟା ଧରି ପଚରା ଉଚରା କରିଥିଲା । ପରେ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ତାଙ୍କୁ ଗିରଫ କରାଯାଇଛି । ସେହିପରି ସୁମନ କୁମାରଙ୍କ ଭାଇ ପୱନ କୁମାରଙ୍କୁ ପଚରା କରାଯାଇଥିଲେ ସୁଦ୍ଧା ଇଡି ତାଙ୍କୁ ଗିରଫ କରିନାହିଁ ।