ଦେଶରେ ନୂତନ ଭାବେ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଚାରି ଲକ୍ଷକୁ ଟପି ଯାଇଥିବା ସମୟରେ,ଏହି ଭୂତାଣୁର କୁପ୍ରଭାବ ଯୋଗୁଁ ବିଭିନ୍ନ କ୍ଷେତ୍ର ତଳିତଳାନ୍ତ ହେବାକୁ ବସିଛି । ବିଭିନ୍ନ ବୃତ୍ତି,ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଅଭାବନୀୟ ସଂକୋଚନ ପରିଲକ୍ଷିତ ହୋଇଥିବା ବେଳେ ଏସବୁ ଉପରେ ନିର୍ଭରଶୀଳ ଅସଂଖ୍ୟ ପରିବାର ଏବେ ଖୁବ୍ ଦୟନୀୟ ଅବସ୍ଥାରେ କାଳ କାଟିବାକୁ ବାଧ୍ୟ ହେଉଛନ୍ତି । ଏଇ କିଛି ଦିନ ପୂର୍ବରୁ ଯେଉଁମାନେ ବିଭିନ୍ନ ସମ୍ମାନଜନକ ବୃତ୍ତିରେ ରହି ପରିବାର ପ୍ରତିପୋଷଣ କରୁଥିଲେ,ସେମାନେ ଆଜି କ୍ଷୁଧାର ଜ୍ବାଳା ପ୍ରଶମନ କରିବା ଲାଗି ଛୋଟମୋଟ ଓ ଅପେକ୍ଷାକୃତ ଅଳ୍ପ ବେତନଯୁକ୍ତ ଚାକିରିକୁ ଏଥିପାଇଁ ଆପଣେଇ ନେଇଛନ୍ତି ଯେ,ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।
ସରକାରଙ୍କ ଆତ୍ମନିର୍ଭର ପ୍ୟାକେଜ୍ ସେମାନଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଦେଶର ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME)କ୍ଷେତ୍ର ଅନେକ ଆଶା ବାନ୍ଧିଥିଲା । ସେହି ସମସ୍ତ ଆଶା ଧୂଳିସାତ୍ ହୋଇଯିବା ପରେ ଏବେ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ପ୍ରାୟ ଏକ ତୃତୀୟାଂଶ ସଂସ୍ଥା ବନ୍ଦ ହେବା ହିଁ ସମାଧାନର ଏକମାତ୍ର ପନ୍ଥା ବୋଲି ଧରି ନେଇଛନ୍ତି । ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ,ଦେଶର ଗ୍ରାମାଞ୍ଚଳରେ ବେକାରି ହାର 7.13ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ଏହା 9.78ପ୍ରତିଶତ ରହିଛି । ଦେଶର ପାଞ୍ଚ କୋଟି ଲୋକଙ୍କୁ ଜୀବିକା ଅର୍ଜନର ସୁଯୋଗ ଦେଉଥିବା ଖୁଚୁରା କାରବାର କ୍ଷେତ୍ରର ଅବସ୍ଥା ଏବେ ଏକ ବୁଡ଼ି ଯାଉଥିବା ଜାହାଜ ସଦୃଶ ।
କୋରୋନାର ଦ୍ବିତୀୟ ଲହରକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁସବୁ ପ୍ରୋତ୍ସାହନମୂଳକ ପଦକ୍ଷେପ ଘୋଷଣା କରିଛି,ସେସବୁ ବାସ୍ତବରେ ଚମକପ୍ରଦ । ବୋଧହୁଏ,ବ୍ୟାବସାୟିକ କାରବାର ନିହାତି ତଳକୁ ଖସିବାର ଆଶଙ୍କା ନାହିଁ ବୋଲି କଳନା କରି କେବଳ ଋଣ ପରିଶୋଧର ସମୟସୀମା ସଂପ୍ରସାରଣ କରିଦେବା ହିଁ ଲୋକଙ୍କ ପାଇଁ ବରଦାନ ସଦୃଶ ହେବ ବୋଲି ରିଜର୍ଭ ବ୍ୟାଙ୍କ ସ୍ଥିର କରିଛି ।
ଦେଶରେ 12କୋଟି ଲୋକଙ୍କୁ ନିଯୁକ୍ତି ପ୍ରଦାନର ସାମର୍ଥ୍ୟ ରଖୁଥିବା ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ଏବେ ଯେଉଁସବୁ ସମସ୍ୟା ଘେରରେ ରହିଛି,ସେଗୁଡ଼ିକ ହେଲା ପାଣ୍ଠିର ଅଭାବ,ଦିନକୁ ଦିନ ପୁରୁଣା ଋଣ ଉପରେ ସୁଧ ପରିମାଣ ବୃଦ୍ଧି ଏବଂ ବିଭିନ୍ନ ସରକାରୀ ସଂସ୍ଥା ଉପରେ ବକେୟା ରହିଥିବା ଅର୍ଥ । ଏହି ସବୁ ସମସ୍ୟାରୁ ମୁକୁଳି ପାରିଲେ ହିଁ ଲଘୁ ଶିଳ୍ପ କ୍ଷେତ୍ର ତିଷ୍ଠି ରହିପାରିବ ।