ପୋର୍ଟ ବ୍ଲେୟାର: ବିଳମ୍ବିତ ରାତିରେ ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ । ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ କରାଯାଇଛି । ରବିବାର ବିଳମ୍ବିତ ରାତି ପ୍ରାୟ ୨ଟା ୨୬ମିନିଟ ସମୟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଥିବା ବେଳେ ସୁନାମୀ ପାଇଁ କୌଣସି ସର୍ତକତା ଜାରି କରାଯାଇନାହିଁ ।
ଏହି ଭୂକମ୍ପ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ କାମ୍ପବେଲ ବେର ଦକ୍ଷିଣ ଦକ୍ଷିଣରୁ ୨୨୦ କିଲୋମିଟର ଦୂରରେ ଅନୁଭୂତ ହୋଇଛି । ଏହି ଶକ୍ତିଶାଳୀ ଭୂକମ୍ପରେ ଲୋକମାନେ ଭୟଭୀତ ହୋଇଯାଇଥିବା ସୂଚନା ରହିଛି । ଭୂମିକମ୍ପରେ କ୍ଷୟକ୍ଷତିର ଆକଳନ କରୁଛି ସଂସ୍ଥା । ବର୍ତ୍ତମାନ ସୁନାମିର ଭୟ ନଥିବା ବେଳେ ଶକ୍ତିଶାଳୀ ଭୂକମ୍ପ ଝଟକା ପୃଥିବୀ ପୃଷ୍ଠରେ ବିଶେଷ କ୍ଷତି ହୋଇନଥିବା ନେଇ ଆକଳନ କରାଯାଇଛି । ଏହାର ଗଭୀରତା ୩୨ କିଲୋମିଟର ଆକଳନ କରାଯାଇଛି । ଏହାର ଅକ୍ଷାଂଶ ୮.୯୮ ରହିଥିବାବେଳେ ଦ୍ରାଘିମା ୯୪.୦୭ ରହିଥିଲା ।
ସେହିପରି ଆଜି ସକାଳୁ ମିଜୋରାମରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ୪.୭ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଛି ମିଜୋରାମର ଚାମ୍ପାଇ । ଭୂକମ୍ପର କେନ୍ଦ୍ରସ୍ଥଳ ଚାମ୍ପାଇର ପୂର୍ବ ଦକ୍ଷିଣ ପୂର୍ବର ୧୫୧ କିଲୋମିଟର ଦୂରରେ ରହିଥିଲା । ଏହାସହ ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୨୩.୧୬ ଏବଂ ଦ୍ରାଘିମା ୯୪.୭୮ ରେକର୍ଡ କରାଯାଇଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତକ୍ଷେପ ହୋଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।