ସିଲଂ:ମେଘାଳୟ ସମେତ ଅନ୍ୟ କିଛି ଉତ୍ତର-ପୂର୍ବ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି । ମେଘାଳୟରେ ସର୍ବାଧିକ 5.2 ତୀବ୍ରତା ସହ କମ୍ପନ ଅନୁଭୂତ ହୋଇଥିବା ବେଳେ ପଡୋଶୀ ରାଜ୍ୟମାନଙ୍କରେ ମଧ୍ୟ ଭୂକମ୍ପର ଝଟକା ଲାଗିଛି । ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ମିଳିନି । ମେଘାଳୟର ରସୁବେଲପାରା ଜିଲ୍ଲା ମୁଖ୍ୟାଳୟର 3 କି.ମି ଦୂରରେ ଥିବା ନର୍ଥ-ଗାରୋ ହିଲ ଷ୍ଟେସନ ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ହୋଇଥିବା ନେଇ ପ୍ରଥମିକ ଭାବେ ଆକଳନ କରାଯାଇଛି । କୌଣସି କ୍ଷୟକ୍ଷତିର ସୂଚନା ନଥିବା କାରଣରୁ କୌଣସି ପରବର୍ତ୍ତୀ ସତର୍କ ସୂଚନା ମଧ୍ୟ ଜାରି କରାଯାଇନାହିଁ ।
ମିଳିଥିବା ସୂଚନା ଅନୁସାରେ, ଆଜି (ସୋମବାର) ସଂଧ୍ୟା ପ୍ରାୟ 6.15 ମିନିଟରେ ଏହି ଭୂକମ୍ପର ଝଟକା ଲାଗିଥିଲା । ମେଘାଳୟରେ ସର୍ବାଧିକ 5.2 ତୀବ୍ରତା ଅନୁଭବ ହୋଇଥିଲା । ପଡୋଶୀ ଆସାମ ଓ ଉତ୍ତର-ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ ଏହାର ଆଶିଂକ ପ୍ରଭାବ ଅନୁଭୂତ ହୋଇଛି । ତେବେ ମେଘାଳୟର ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେପରି କୌଣସି ବଡଧରଣର କ୍ଷୟକ୍ଷତି ହୋଇନାହିଁ । କୌଣସି ସ୍ଥାନରେ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରାଯାଇନାହିଁ । ନର୍ଥ-ଗାରୋ ହିଲ ଷ୍ଟେସନ ଅଞ୍ଚଳରେ ପ୍ରାୟ 10 କି.ମି ଗଭୀରରେ ଏହାର ଉତ୍ପତିସ୍ଥଳ ଭାବେ ଚିହ୍ନଟ ହୋଇଛି ।