ନୂଆଦିଲ୍ଲୀ: ଟେକ ଅଫ ସମୟରେ ଇଣ୍ଡିଗୋ ବିମାନରେ ମାଡ ହେଲା ପକ୍ଷୀ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରିବର୍ତ୍ତେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ । ମାଙ୍ଗାଲୋରରୁ ଦୁବାଇ ଅଭିମୁଖେ ଉଡାଣ ଆରମ୍ଭ କରିଥିବା ବିମାନରେ ପକ୍ଷୀ ମାଡ ହୋଇଥିବା ସୂଚନା ମିଳିଛି । ଫଳରେ ମାଙ୍ଗାଲୋର ବିମାନବନ୍ଦରରେ ବିମାନଟି ଅବତରଣ କରିଛି । ଆଜି ସକାଳ 8ଟା 30 ମିନିଟ ସମୟରେ ଏପରି ଘଟଣା ଘଟିଥିଲା । ପକ୍ଷୀ ମାଡ ପରେ କୌଣସି ଅଘଟଣ ଘଟିବା ପୂର୍ବରୁ ପାଇଲଟ ବିମାନକୁ ଅବତରଣ କରିଥିଲେ । ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ମାଙ୍ଗାଲୋର ବିମାନବନ୍ଦରରୁ ଦୁବାଇ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା ଇଣ୍ଡିଗୋ ବିମାନ । ଟେକ ଅଫ ହେବାର କିଛି ସମୟ ପରେ ବିମାନର ଡେଣାରେ ଏକ ପକ୍ଷୀମାଡ ହୋଇଥିଲା । ଏହା ଜାଣିବା ପରେ ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସଙ୍ଗେ ସଙ୍ଗେ ସୂଚନା ଦେଇଥିଲେ । ଏହାପରେ ବିମାନଟି ମାଙ୍ଗାଲୋର ବିମାନବନ୍ଦରରେ ଅବତରଣ କରିଥିଲା । ଏହାପରେ ଟେକ୍ନିସିଆନ ମାନେ ବିମାନ ମଧ୍ୟରେ ଯାଞ୍ଚ ଜାରି ରଖିଛନ୍ତି । ପକ୍ଷୀ ମାଡ ପରେ ଯାତ୍ରୀ ମାନେ ଭୟଭୀତ ହୋଇପଡିଥିଲେ । ବିମାନବନ୍ଦର କର୍ତ୍ତୃପକ୍ଷ ପରେ ଯାତ୍ରୀଙ୍କ ପାଇଁ ଆଉ ଏକ ବିମାନର ବ୍ୟବସ୍ଥା କରିଥିଲେ ।