ଚଣ୍ଡୀଗଡ଼:ଭାରତ-ପାକିସ୍ତାନ ସୀମାରେ ପାଟ୍ରୋଲିଂ ବେଳେ ପଞ୍ଜାବ ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା । ଡ୍ରଗ୍ସ କାରବାର କରୁଥିବା ୨ କୁଖ୍ୟାତ ଅପରାଧୀଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିବା ସହ ୨ କିଲୋଗ୍ରାମର ଡ୍ରଗ୍ସ ଜବତ କରିଛି ପୋଲିସ । ଭାରତ-ପାକିସ୍ତାନ ସୀମାରେ ବଢିବାରେ ଲାଗିଛି ଅପରାଧିକ କାର୍ଯ୍ୟକଳାପ । ଡ୍ରୋନ ଓ ଅସ୍ତ୍ରଶସ୍ତ୍ର ଦ୍ବାରା ଆକ୍ରମଣ କରିବାର ପ୍ରୟାସ କରୁଛି ଶତୃଦେଶ । ଖାଲି ସେତିକି ନୁହେଁ, ଡ୍ରଗ୍ସ ଭଳି ନିଶା ଦ୍ରବ୍ୟ କାରବାର ମଧ୍ୟ ବୃଦ୍ଧି ପାଉଛି । ଆଉ ଅପରାଧୀଙ୍କୁ ଦମନ କରିବାକୁ ପୋଲିସ ପକ୍ଷରୁ ଅପରେସନ ଜୋରଦାର କରାଯାଉଛି ।
ସେହିପରି ସୀମାରେ ଏଭଳି ଅପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସବୁବେଳେ ତତ୍ପର ରହିଥାଏ ପୋଲିସ । ଏଥିପାଇଁ ଦିନ ରାତି ପାଟ୍ରୋଲିଂ କରାଯାଇ ନଜର ରଖାଯାଇଥାଏ । ଏହାରି ଭିତରେ ପଞ୍ଜାବ ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଅପରେସନ କରାଯାଇଥିବାବେଳେ ୨ କିଲୋଗ୍ରାମ ହିରୋଇନ ଡ୍ରଗ୍ସ ଜବତ ହୋଇଛି । ଏହି ଡ୍ରଗ୍ସ କାରବାରରେ ଲିପ୍ତ ଥିବା ୨ ଚାଲାଣକାରୀଙ୍କୁ ପୋଲିସ ଧରିବାକୁ ଚେଷ୍ଟା କରିଥିଲା । ଅପରାଧୀଙ୍କୁ ଧରପଗଡ଼ ବେଳେ ଭାରତ-ପାକ୍ ସୀମାରେ ପ୍ରାୟ 40 କିଲୋମିଟର ଧରି ଅପରାଧୀଙ୍କ ସହ ପୋଲିସର ଛକାପଞ୍ଝା ହୋଇଥିଲା । ଜଣେ ଅପରାଧୀ ଚମ୍ପଟ ମାରିଥିବାବେଳେ ଏନକାଉଣ୍ଟରେ ଗୋଡ଼ ଆହତ ହେବାରୁ ଅନ୍ୟ ଜଣେ ଅଭିଯୁକ୍ତ ସେଠାରେ ଫସି ରହିଥିଲା । ତାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।