ଚଣ୍ଡିଗଡ:ପଞ୍ଜାବ ଫିରୋଜପୁରରେ ଏକ ସୀମାନ୍ତ ଗ୍ରାମରେ ଏକ ସନ୍ଦିଗ୍ଧ ଡ୍ରୋନକୁ ଗୁଳି କରି ଖସାଇବା ପରେ ଜବତ କରିଛି ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) (Drone recovered by BSF in Ferozepur)। ଗତକାଲି (ମଙ୍ଗଳବାର) ରାତିରେ ଏହି ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲେ ସୀମା ସୁରକ୍ଷା ବଳର ଯବାନ । ଏହାକୁ ଆଜି ସକାଳେ ସ୍ଥାନୀୟ ଏକ କ୍ଷେତରୁ ଜବତ କରାଯାଇଛି । ତେବେ ପାକିସ୍ତାନ ଏହି ଡ୍ରୋନଟି ପଠାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସୀମା ସୁରକ୍ଷା ବଳର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ବିଏସଏଫର ଫିରୋଜପୁର ଡିଆଇଜି ଅଶୋକ କୁମାର ଗଣମାଧ୍ୟମକୁ ଦେଇଥିବା ସୂନଚା ଅନୁସାରେ ଗତକାଲି (ମଙ୍ଗଳବାର) ରାତିରେ ଏହି ଡ୍ରୋନଟି ପ୍ରଥମେ ଗ୍ରାମବାସୀଙ୍କ ନଜରକୁ ଆସିଥିଲା । ସୂଚନା ପାଇ ସୀମା ସୁରକ୍ଷା ବଳର ଯବାନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଡ୍ରୋନକୁ ସୁରକ୍ଷାକର୍ମୀ ଗୁଳି ଚଳାଇ ଖସାଇ ଦେଇଥିଲେ । ରାତିରେ ସର୍ଚ୍ଚ ଅପରେସନ ଜାରି ରହିଥିଲେ ସୁଦ୍ଧା ଆଜି ସକାଳେ ଖସି ପଡିଥିବା ଡ୍ରୋନକୁ ଜବତ କରାଯାଇଛି । ଡ୍ରୋନର ଯାଞ୍ଚ ଜାରି ରହିଛି । ଘଟଣାସ୍ଥଳରେ ଏକାଧିକ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି (Drone recovered by BSF in Ferozepur)।