ମୁମ୍ବାଇ:ପାକିସ୍ତାନୀ ଗୁପ୍ତଚର ସଂସ୍ଥାର ମହିଳାଙ୍କ ଦ୍ବାରା ହନିଟ୍ରାପର ଶିକାର ହୋଇ ଗିରଫ ହୋଇଥିବା DRDO ର ବରିଷ୍ଠ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ନେଇ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ସର୍ବୋଚ୍ଚ ପ୍ରତିରକ୍ଷା ବବେଷଣା ସଂସ୍ଥାର ଏହି ବରିଷ୍ଠ ବୈଜ୍ଞାନିକ ଶତୃ ଦେଶର ମହିଳାଙ୍କୁ ସହ ଭାରତୀୟ କ୍ଷେପଣାସ୍ତ୍ର ପ୍ରଣାଳୀ ସମ୍ପର୍କିତ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଜଣାପଡିଛି । ଭାରତୀୟ କ୍ଷେପଣାସ୍ତ୍ର ପ୍ରଣାଳୀ ‘ବ୍ରହ୍ମୋସ’ ଓ ‘ଅଗ୍ନୀ’ ସମେତ ଅନ୍ୟ କିଛି କ୍ଷେପଣାସ୍ତ୍ରର ଫଟୋ ଓ ଗବେଷଣା ସମ୍ପର୍କିତ ତଥ୍ୟ ସେ ଉକ୍ତ ପାକିସ୍ତାନୀ ମହିଳାଙ୍କୁ ପ୍ରଦାନ କରିଥିବା ତଦନ୍ତ କରୁଥିବା ଆଣ୍ଟି ଟେରରିଜମ ସ୍କ୍ବାଡ ଜାଣିବାକୁ ପାଇଛି ।
ତେବେ ଅନ୍ୟ ଏକ ସୂଚନା ଅନୁସାରେ, ଗତବର୍ଷ ଏହି ବରିଷ୍ଠ ପ୍ରତିରକ୍ଷା ବୈଜ୍ଞାନିକ ଏକାଧିକ ଦେଶ ଭ୍ରମଣ କରିଛନ୍ତି । ହେଲେ ସେ ଏହି ସମୟ ମଧ୍ୟରେ ପାକିସ୍ତାନ ଯାଇଛନ୍ତି କି ନାହିଁ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ସେ ସମ୍ପୃକ୍ତ ମହିଳାଙ୍କୁ ପାକିସ୍ତାନ କିମ୍ବା ଅନ୍ୟ କୌଣସି ଦେଶରେ ସାକ୍ଷାତ କରିଥିବା ସନ୍ଦେହ ପ୍ରକାଶ ପାଇଛି । ସେ ପ୍ରାୟ ଗତ 6ମାସ ହେବ ମହିଳାଙ୍କ ସହ ସୋସିଆଲ ମିଡିଆ ମାଧ୍ୟମରେ ଯୋଗାଯୋଗରେ ଆସିଥିଲେ । ପରେ ଉଭୟଙ୍କ ମଧ୍ୟରେ ଏକାଧିକ ସୋସିଆଲ ମିଡିଆ ଫର୍ମାଟରେ ତଥ୍ୟ, ବାର୍ତ୍ତା ଓ ଫଟୋ ଭିଡିଓ ଆଦି ବିନିମୟ ହୋଇଥିଲା । ଏହି ତଥ୍ୟ ଆଦାନ ପ୍ରଦାନ କରିବା ବେଳେ ଏହି ଗିରଫ ବୈଜ୍ଞାନିକ ଜଣଙ୍କ କ୍ଷେପଣାସ୍ତ୍ରର ପ୍ରଣାଳୀର ତଥ୍ୟ ମଧ୍ୟ ଦେଇଥିବା ଜଣାପଡିବା ପରେ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଛି ।
ମେ’ 4 ତାରିଖରେ DRDO ରିସର୍ଚ୍ଚ ବଡିର ନିର୍ଦ୍ଦେଶକ ପ୍ରଦୀପ କୁରୁଲକରଙ୍କୁ ମୁମ୍ବାଇ ଏଟିଏସ ଗିରଫ କରିଥିଲା । ପ୍ରଦୀପ DRDO ର ରିସର୍ଚ୍ଚର ବିଭାଗର ଲ୍ୟାବ ନିର୍ଦ୍ଦେଶକ ଦାୟିତ୍ବରେ ଥିଲେ । ତେବେ ତାଙ୍କ କାର୍ଯ୍ୟକାଳ ଆଉ 6 ମାସ ଥିବା ବେଳେ ସେ ଜଣେ ପାକିସ୍ତାନୀ ମହିଳାଙ୍କ ଦ୍ବାରା ହନିଟ୍ରାପର ଶିକାର ହୋଇଥିବା ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।