ନୂଆଦିଲ୍ଲୀ: ମୋଦି ସରକାରଙ୍କ କ୍ୟାବିନେଟ ବିସ୍ତାର ପୂର୍ବରୁ ଇସ୍ତଫା ଦେଇଥିବା ମନ୍ତ୍ରୀମାନଙ୍କ ନାମ ମଧ୍ୟରୁ ଲୋକଙ୍କୁ ଚକିତ କରିଥିବା ନାମ ହେଉଛି ଚାନ୍ଦନୀ ଚୌକ ସାଂସଦ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ଗତକାଲି(ବୁଧବାର) ହର୍ଷବର୍ଦ୍ଧନ ସ୍ବାସ୍ଥ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନାନା କଳ୍ପନା ଜଳ୍ପନା ଲାଗିରହିଛି । ନୂଆଦିଲ୍ଲୀ ସାଂସଦ ମୀନାକ୍ଷୀ ଲେଖୀଙ୍କୁ ଦିଲ୍ଲୀର ଏକ ମନ୍ତ୍ରୀପଦ ମିଳିବା ପରେ ହର୍ଷବନ୍ଧନଙ୍କୁ ନୂଆ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି ।
ଦିଲ୍ଲୀରେ ବିଜେପିର ସାମ୍ପ୍ରତିକ ପରିସ୍ଥିତି ଏବଂ ଆଗାମୀ ପୌରପାଳିକା ନିର୍ବାଚନକୁ ଦୃଷ୍ଟିରେ ରଖି ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଏକ ନୂତନ ଦାୟିତ୍ବ ମିଳିବା ନେଇ ରାଜନୀତିଜ୍ଞ ଆକଳନ କରୁଛନ୍ତି । ଖୁବଶୀଘ୍ର ଦିଲ୍ଲୀରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି । ତେବେ ମନୋଜ ତିୱାରୀ ଏବଂ ପରେ ଆଦେଶ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ବିଜେପିରେ ଦଳଗତ ସମସ୍ୟା ବୃଦ୍ଧି ପାଇଛି । ଆସନ୍ତା ବର୍ଷ ମ୍ୟୁନିସିପାଲିଟି ନିର୍ବାଚନ ହେବ । ଏହାକୁ ନେଇ ଗତ କିଛି ମାସ ଧରି ଆମ୍ ଆଦମୀ ପାର୍ଟି ମଧ୍ୟ କସରତ ଆରମ୍ଭ କରିଦେଇଛି ।