ଅଯୋଧ୍ୟା:ରାମ ଭକ୍ତଙ୍କ ପାଇଁ ଖୁସି ଖବର । ଜାନୁୟାରୀ ୨୬ରୁ ଭକ୍ତଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର । ଆସନ୍ତା ଜାନୁୟାରୀ ୨୨ ତାରିଖରେ ଆଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ମନ୍ଦିରର ଉଦଘାଟନ ହେବ । ଏଥିପାଇଁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସାଧୁସନ୍ଥମାନଙ୍କୁ ଆମନ୍ତ୍ରିତ କରିସାରିଛି । ମନ୍ଦିରର ଉଦଘାଟନ ପରେ ୨୬ ଜାନୁଆରୀରୁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏନେଇ ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଶ୍ରଦ୍ଧାଳୁମାନଙ୍କୁ ନିୟନ୍ତ୍ରିତ କରାଯାଇଛି । ଟ୍ରଷ୍ଟର ମହାସଚିବ ଚମ୍ପତ ରାଏ ଜାନୁଆରୀ ୨୬ରୁ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ଆସି ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ କୌଣସି ମାନଗଣ୍ୟ ବ୍ୟକ୍ତି ଅଯୋଧ୍ୟା ନଆସିବାକୁ ନିବେଦନ କରିଛନ୍ତି । କାରଣ ପ୍ରାଣ ପ୍ରତିଷ୍ଠା ସମାରୋହରେ ଟ୍ରଷ୍ଟ ପଦାଧିକାରୀଙ୍କ ସମେତ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଖୁବ୍ ବ୍ୟସ୍ତ ରହିବେ । ସେଥିପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କୁ ଉଚିତ୍ ସମ୍ମାନ ଓ ସୁରକ୍ଷା ମିଳିନପାରେ । ତେଣୁ କେବଳ ଯେଉଁ ଅତିଥିମାନଙ୍କୁ ଆମନ୍ତ୍ରିତ କରାଯିବ କେବଳ ସେହିମାନେ ହିଁ ଜାନୁଆରୀ ୨୨ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ କରାଯାଇଛି ।