ନୂଆଦିଲ୍ଲୀ:ନାଗରିକ ସଂଶୋଧନ ଆଇନ ତଥା ସିଏଏକୁ ନେଇ ଦିଲ୍ଲୀ ସାହିନ ବାଗରେ ଦେଖାଯାଇଥିବା ବିକ୍ଷୋଭକୁ ପୁରିଛି ବର୍ଷେ । ଏହି ବିଲ୍, ଆଇନରେ ପ୍ରଣୟନ ହେବା ପରେ ପରେ ଦେଶବ୍ୟାପୀ ଦେଖିବାକୁ ମିଳିଥିଲା ଆନ୍ଦୋଳନ । ଆନ୍ଦୋଳନରେ ଏକାଧିକ ପୋଲିସ କର୍ମୀ ତଥା ଆନ୍ଦୋଳନକାରୀଙ୍କ ଯାଇଥିଲା ଜୀବନ । 2019 ଡିସେମ୍ବର 15ରେ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ କୋରୋନା କାରଣରୁ 2020 ମାର୍ଚ୍ଚ 24ରେ ଥମିଥିଲା ।
ତେବେ ବର୍ଷେ ତଳେ ଦିଲ୍ଲୀକୁ ସଂଯୋଗ କରୁଥିବା ମୁଖ୍ୟପଥ ନୋଏଡା ଏବଂ ଫରିଦାବାଦ ନିକଟରେ ଏହି ବିକ୍ଷୋଭ କାରଣରୁ ଲକ୍ଷାଧିକ ଦିଲ୍ଲୀ ବାସିନ୍ଦା ପ୍ରଭାବିତ ହୋଇଥିଲେ । ଦୀର୍ଘ 100 ଦିନ ଧରି ଚାଲିଥିବା ଏହି ଆନ୍ଦୋଳନର ପ୍ରଭାବରେ ପ୍ରଭାବିତ ହୋଇଥିଲେ ଲକ୍ଷ ଲକ୍ଷ ଲୋକେ । ସେହିପରି ଦେଶର କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିଲା । ଦିନକୁ ଦିନ ଏହି ବିକ୍ଷୋଭ ଏତେ ତୀବ୍ରହେବାରେ ଲାଗିଲା ଯେ, ଶେଷରେ ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଲା । ଏମିତିକି ଆନ୍ଦୋଳନକାରୀଙ୍କ ସହ କଥାବାର୍ତ୍ତା କରିବାକୁ ଆଲୋଚନାକାରୀଙ୍କୁ ସୁପ୍ରିମକୋର୍ଟ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ।