ଚଣ୍ଡିଗଡ:ହରିୟାଣା ନୁହଁ ଜିଲ୍ଲାରେ ଗତମାସ 31ରେ ବ୍ୟାପକ ହିଂସାକାଣ୍ଡ ପରେ ଆଜି ପଲଓ୍ବାଲରେ ମହାପଞ୍ଚାୟତ ଆୟୋଜନ କରିଛି ହିନ୍ଦୁ ସଂଗଠନ । ହିଂସା ପରେ ବନ୍ଦ ରହିଥିବା ବ୍ରଜମଣ୍ଡଳ ଯାତ୍ରାକୁ ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । ଅଗଷ୍ଟ 28ରୁ ଏହି ଯାତ୍ରା ପୁଣି ଥରେ ଆରମ୍ଭ ହେବ । ଏହାସହ ଗତମାସ ଶେଷରେ ସଂଘଠିତ ହୋଇଥିବା ହିଂସାଲ ଘଟଣାରେ ମଧ୍ୟ ଏକାଧିକ ଦାବି ସମ୍ପର୍କରେ ଆଜି ବସିଥିବା ମହାପଞ୍ଚାୟତରେ ଆଲୋଚନା ହୋଇଛି ।
ନୁହଁ ହିଂସା ଏକ ଯୋଜନାବଦ୍ଧ ହିଂସାକାଣ୍ଡ ଓ ଏଥିରେ ଆତଙ୍କୀ ଲିଙ୍କ୍ ଥିବା ଅଭିଯୋଗକୁ ପୁଣି ଥରେ ମହାପଞ୍ଚାୟତରେ ଦୋହରାଇଛି ହିନ୍ଦୁପକ୍ଷ । ଏହାର ତଦନ୍ତ ରାଜ୍ୟ ପୋଲିସ ପରିବର୍ତ୍ତେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ଦ୍ବାରା କରିବା ପାଇଁ ସରକାରଙ୍କ ନିକଟରେ ଦାବି ମଧ୍ୟ କରାଯାଇଛି । ସେହିପରି ନୁହଁ ଜିଲ୍ଲାକୁ ଗୋହତ୍ୟା ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ମଧ୍ୟ ଆଜି ମହାପଞ୍ଚାୟତରେ ଦାବି ହୋଇଛି ।
ଆଜି ଆୟୋଜିତ ସଭାର ନାମ ରଖାଯାଇଥିଲା ‘ସର୍ବ ଜାତି ମହାପଞ୍ଚାୟତ’ । ବିଶ୍ବ ହିନ୍ଦୁ ପରିଷଦ ଓ ଏକାଧିକ ଅନ୍ୟ ହିନ୍ଦୁ ସଂଗଠନର ହଜାର ହଜାର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟତଃ ହିଂସା ଓ ଏହା ପରଠାରୁ ବନ୍ଦ ରହିଥିବା ବ୍ରଜମଣ୍ଡଳ ଯାତ୍ରାକୁ ପୁନଃ ସଞ୍ଚାଳିତ କରିବା ଉପରେ ଆଲୋଚନା ହୋଇଥିଲା । 28 ତାରିଖରୁ ଏହି ଯାତ୍ରା ପୁଣି ଥରେ ଆରମ୍ଭ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ ହୋଇଛି । ସେହିପରି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ମଧ୍ୟ ମହାପଞ୍ଚାୟତରେ ଆଲୋଚନା ହୋଇଛି । ନୁହଁ ଏକ ମୁସଲିମବହୁଳ ଜିଲ୍ଲା । ଏଥରେ ଥିବା ଅଳ୍ପସଂଖ୍ୟକ ହିନ୍ଦୁଙ୍କ ପ୍ରତି ବିଭିନ୍ନ ସମୟରେ ଉତ୍ତେଜନା କାରଣରୁ ବିପଦ ରହିଛି । ତେଣୁ ହିନ୍ଦୁମାନଙ୍କୁ ଆତ୍ମରକ୍ଷା ପାଇଁ ଅସ୍ତ୍ର ରଖିବାର ଅନୁମତି(ଆର୍ମ ଲାଇସେନ୍ସ) ଦେବାକୁ ମଧ୍ୟ ଦାବି ହୋଇଛି ।