ଓଡିଶା

odisha

ETV Bharat / bharat

Delhi vs Centre ordinance row: ଶରଦ ପାଓ୍ବାରଙ୍କୁ ଭେଟିଲା ଟିମ୍‌ କେଜ୍ରିଓ୍ବାଲ

ଶରଦ ପାଓ୍ବାରଙ୍କୁ ଭେଟିଲେ କେଜ୍ରିଓ୍ବାଲ । ଗତକାଲି ଉଦ୍ଧବ ଠାକରେଙ୍କୁ ମଧ୍ୟ ଭେଟିଥିଲେ । କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ଜାରି ରହିଛି ଟିମ୍‌ କେଜ୍ରିଓ୍ବାଲର ରାଜନୈତିକ ସମର୍ଥନ ହାସଲ ପ୍ରକ୍ରିୟା । ଅଧିକ ପଢନ୍ତୁ

By

Published : May 25, 2023, 5:31 PM IST

ଶରଦ ପାଓ୍ବାରଙ୍କୁ ଭେଟିଲେ କେଜ୍ରିଓ୍ବାଲ
ଶରଦ ପାଓ୍ବାରଙ୍କୁ ଭେଟିଲେ କେଜ୍ରିଓ୍ବାଲ

ମୁମ୍ବାଇ:ପ୍ରଶାସନିକ ନିୟନ୍ତ୍ରଣ ପ୍ରସଙ୍ଗରେ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ବିରୋଧରେ ରାଜନୈତିକ ସମର୍ଥନ ହାସଲ ମିଶନରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି(ଗୁରୁବାର) ଏନସିପି ପ୍ରତିଷ୍ଠାତା ଶରଦ ପାଓ୍ବାରଙ୍କୁ ସାକ୍ଷାତ କରିଛନ୍ତି । ଶରଦଙ୍କ ବାସଭବନରେ ଏହି ସାକ୍ଷାତକାର ହୋଇଥିବା ବେଳେ କେଜ୍ରିଓ୍ବାଲଙ୍କ ସହ ତାଙ୍କର ପୁରା ଟିମ୍‌ ଥିଲେ । ଦିଲ୍ଲୀରେ ପ୍ରଶାସନିକ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ପ୍ରସଙ୍ଗରେ ଏହି ଆଲୋଚନା ହୋଇଛି ।

ଗତକାଲି (ବୁଧବାର) କେଜ୍ରିଓ୍ବାଲଙ୍କ ଟିମ୍‌ ଶିବସେନା (ଉଦ୍ଧବ ଗୋଷ୍ଠୀ) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲା । ଏଥିରେ ଉଦ୍ଧବ ଠାକରେ କେଜ୍ରିଓ୍ବାଲଙ୍କୁ ସମର୍ଥନ ଜଣାଇଥିଲେ । ଉଦ୍ଧବ କହିଥିଲେ, ‘‘ଆମେ ସମସ୍ତେ ଦେଶର ସମ୍ବିଧାନ ରକ୍ଷା କରିବା ପାଇଁ ଏକାଠି ହୋଇଛୁ । ବିଜେପି ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ କାର୍ଯ୍ୟ କରୁଛି । ବିଜେପିକୁ ହିଁ ପ୍ରକୃତ ବିରୋଧୀ ଦଳ ବୋଲି କହିବା ଠିକ ହେବ ।’’ ଗତକାଲି ପରି ଆଜି ମଧ୍ୟ ଶରଦଙ୍କ ସହ ଆଲୋଚନା ବେଳେ ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ସାଂସଦ ରାଘବ ଚଡ୍ଡା, ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଅତିଶି ପ୍ରମୁଖ କେଜ୍ରିଓ୍ବାଲଙ୍କ ସହ ଥିଲେ ।

କେନ୍ଦ୍ର ପକ୍ଷରୁ ଏହି ଅଧ୍ୟାଦେଶ ଜାରି କରାଯିବା ପରେ ଦିଲ୍ଲୀ ସରକାର ଏହାକୁ ତୀବ୍ର ବିରୋଧ କରିବା ସହ ଚ୍ୟାଲେଞ୍ଜ କରିବା ପାଇଁ ଗ୍ରୀଷ୍ମ ଅବକାଶ ପରେ ସୁପ୍ରିମକୋର୍ଟ ଖୋଲିବାକୁ ଅପେକ୍ଷା କରିଛନ୍ତି । ଅନ୍ୟପଟେ ଏକାଧିକ ବିରୋଧୀ ରାଜନୈତିକ ଦଳ ମଧ୍ୟ ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେବାରେ ଲାଗିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ପ୍ରସଙ୍ଗରେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରହିଥିବା କହି ସାରିଛନ୍ତି । ଗତକାଲି ଉଦ୍ଧବ ଠାକରେ ମଧ୍ୟ ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ସମର୍ଥନ ଜଣାଇଛନ୍ତି ।

ଏହି ମାମଲାରେ ପ୍ରଥମେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ ସର୍ବୋଚ୍ଚ କୋର୍ଟ । ଦିଲ୍ଲୀର ନିର୍ବାଚିତ ସରକାର ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି କରିବା ପାଇଁ କ୍ଷମତାସୀନ । ତେଣୁ ସବୁ ପ୍ରସଙ୍ଗରେ କେନ୍ଦ୍ର ସରକାର ଉପରାଜ୍ୟପାଳଙ୍କ ଜରିଆରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ । ହେଲେ କୋର୍ଟରୁ ନିରାଶ ହେବା ପରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରି ଏହି ପ୍ରସଙ୍ଗରେ ଦିଲ୍ଲୀ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରିଥିଲେ । କୋର୍ଟ ଖୋଲିଲେ ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ କେଜ୍ରିଓ୍ବାଲ ସରକାର ପ୍ରସ୍ତୁତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details