ନୂଆଦିଲ୍ଲୀ:ସାଗର ଧନକର ହତ୍ୟା ମାମଲା । ଏହି ଘଟଣାରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ କୁସ୍ତି ଖେଳାଳୀ ସୁଶୀଲ କୁମାରଙ୍କ ସହ ତାଙ୍କ ସହଯୋଗୀ ଅଜୟ ବକରଓ୍ବାଲାଙ୍କୁ ମେ’ 23 ତାରିଖରେ ମୁଣ୍ତକା ଅଞ୍ଚଳରୁ ଗିରଫ କରିଥିଲା ।
ଏହି ମାମଲାରେ ସୁଶୀଲ କୁମାର ଏବଂ ଅନ୍ୟମାନଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି ହୋଇଥିଲା । ଏହା ପୂର୍ବରୁ ଦିଲ୍ଲୀ କୋର୍ଟ ଏହି ମାମଲାରେ ସୁଶୀଲଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଦିଲ୍ଲୀ ପୋଲିସର ସୂଚନାନୁସାରେ, 38 ବର୍ଷିୟ କୁସ୍ତିଯୋଦ୍ଧା ତାଙ୍କ ଗିରଫଦାରୀକୁ ଏଡାଇବାକୁ ଚେଷ୍ଟା କରିଥିଲେ। ଗିରଫଦାରୀକୁ ଏଡ଼ାଇବା ପାଇଁ ସେ ଲଗାତାର ନିଜର ସିମ୍ କାର୍ଡ ବଦଳାଇ ଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି ।