ନୂଆଦିଲ୍ଲୀ:ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ସାମ୍ବାଦିକ ମହମ୍ମଦ ଜୁବେରଙ୍କ ବିରୋଧରେ ନୂଆ ଚାର୍ଜ ଲଗାଇଲା ଦିଲ୍ଲୀ ପୋଲିସ । ଅପରାଧିକ ଷଡଯନ୍ତ୍ର, ପ୍ରମାଣ ନଷ୍ଟ ପ୍ରୟାସ ପରି ନୂଆ ଚାର୍ଜ ଦାଖଲ କରିଛି ଦିଲ୍ଲୀ ପୋଲିସ । ଫ୍ୟାକ୍ଟ-ଚେକିଂ ସାଇଟ ଅଲ୍ଟ ନିୟୁଜର ସହ ପ୍ରତିଷ୍ଠାତା ଜୁବେର 2018 ମସିହାରେ କରିଥିବା ଏକ ବିବାଦୀୟ ଟ୍ବିଟ ମାମଲାରେ ଗିରଫ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:-ବିବାଦୀୟ ମନ୍ତବ୍ୟ ଦେଇ ସାମ୍ବାଦିକ ମହମ୍ମଦ ଜୁବେର୍ ଗିରଫ
ପୂର୍ବରୁ ତାଙ୍କ ନାମରେ ବିଦେଶୀ ପାଣ୍ଠି ସଂଗ୍ରହ ଅନିୟମିତତା ମାମଲା Foreign Contribution (Regulation) Act ଲଗାଯାଇଥିବା ବେଳେ ଏବେ ଅପରାଧିକ ମାମଲା ମଧ୍ୟ ରୁଜୁ ହୋଇଛି । ଏହି ନୂଆ ଚାର୍ଜ ପରେ ଆବଶ୍ୟକ ପଡିଲେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଜେରା ପରିସରକୁ ନେଇପାରେ । ଜୁନ 27ରେ ଦିଲ୍ଲୀ ପୋଲିସ ଦ୍ବାରା ଗିରଫ ହୋଇଥିଲେ ଜୁବେର ।
ନିର୍ଦ୍ଦିଷ୍ଟ ଧର୍ମର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଓ ସମାଜିକ ସଦଭାବନା ନଷ୍ଟ କରିବା ପରି ଟ୍ବିଟ କରିବା ପାଇଁ ତାଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ଗୋଟିଏ ଦିନ ରିମାଣ୍ଡରେ ମଧ୍ୟ ନେଇ ପୋଲିସ ଜେରା ମଧ୍ୟ କରିସାରିଛି । ତେବେ ଏବେ ପୁଣି ନୂଆ ମାମଲା ଯୋଡି ହେବା ପରେ ଜୁବେରଙ୍କ ଅଡୁଆ ବଢିବାରେ ଲାଗିଛି । ବିରୋଧୀ ଏହାକୁ ବିଜେପି ସରକାରର ରାଜନୈତିକ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ