ନୂଆଦିଲ୍ଲୀ:ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ସରକାରୀ ତହବିଲରୁ ଅର୍ଥ ବିନିଯୋଗ କରିବା ଏବଂ ଜନକଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାରରେ ଦଳୀୟ ଚିହ୍ନ ବ୍ୟବହାର କରିବା ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ହୋଇଥିଲା । ଓଡ଼ିଶା ବିଜେପି ସାଧାରଣ ସମ୍ପାଦକ ଜତିନ ମହାନ୍ତି ଏହି ଆବେଦନ କରିଥିଲେ । ତେବେ ବିଜେପି ନେତାଙ୍କ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଆବେଦନର ଶୁଣାଣି ପାଇଁ ମନା କରିବା ସହିତ ଆବେଦନକାରୀଙ୍କୁ ଓଡ଼ିଶା ହାଇକୋର୍ଟ ଯିବାକୁ କହିଛନ୍ତି ।
ବିଜେପି ନେତା ଜତିନ ମହାନ୍ତି ଅଭିଯୋଗ କରିଥିଲେ ଯେ, ଓଡ଼ିଶାରେ କ୍ଷମତାରେ ଥିବା ବିଜୁ ଜନତା ଦଳ (BJD) ନିଜର ଦଳୀୟ କାର୍ଯ୍ୟକ୍ରମରେ ସରକାରୀ ତହବିଲରୁ ବା ଜନତାଙ୍କ ଅର୍ଥ ବିନିଯୋଗ କରୁଛି । ଏପରିକି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାରରେ ଦଳୀୟ ଚିହ୍ନ ଶଙ୍ଖ ବ୍ୟବହାର କରୁଛି । ଏହା ବିରୋଧରେ ବିଜେପି ନେତା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ ଦିଲ୍ଲୀ ହାଇକୋର୍ଟ ଏହି ଆବେଦନର ଶୁଣାଣି ପାଇଁ ମନା କରିଦେବା ସହ ଓଡ଼ିଶା ହାଇକୋର୍ଟକୁ ଯିବାକୁ ଆବେଦନକାରୀଙ୍କୁ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ: କେନ୍ଦ୍ର ଆଇନ ମନ୍ତ୍ରୀ
ଦିଲ୍ଲୀ ହାଇକୋର୍ଟ ବେଞ୍ଚ ଆବେଦନ ଖାରଜ କରି କହିଛନ୍ତି ଯେ, ପୂର୍ବରୁ ହିଁ ହାଇକୋର୍ଟ ଉପରେ ଅଧିକ ଭାର ରହିଛି । ଆବେଦନକାରୀ ଯେଉଁସବୁ ଅଭିଯୋଗ ଆଣିଛନ୍ତି ତାହା ଓଡ଼ିଶାରେ ଘଟିଛି । ବିଜ୍ଞାପନ ମଧ୍ୟ ଓଡ଼ିଶାରେ ହିଁ ହୋଇଛି । ତେଣୁ ଏଠାରେ ଏହି ଆବେଦନର ଶୁଣାଣି ହୋଇପାରିବ ନାହିଁ । ଆବେଦନକାରୀ ନିଜ ରାଜ୍ୟର ହାଇକୋର୍ଟ ଯିବା ଉଚିତ । ଓଡ଼ିଶା ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ, ଆମେ ନୁହେଁ ବୋଲି କହିଛନ୍ତି ଖଣ୍ଡପୀଠ ।