ଜୟପୁର: ସରାଦେଶରେ ଏବେ ତାଣ୍ଡବ ରଚୁଛି ମହାମାରୀ କୋରୋନାର ଦ୍ବିତୀୟ ଲହରୀ । ଦିନକୁ ଦିନ କୋରନା ମାମଲା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି । ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରୁଛି । ବର୍ତ୍ତମାନର ପରିସ୍ଥିତି ଏପରି ଯେ, ଏକ ମୃତଦେହ ନେବାକୁ କୌଣସି ଗାଡ଼ି ଚାଳକ ପ୍ରସ୍ତୁତ ନୁହଁନ୍ତି । ଯଦିଓ ସରକାରୀ ଡାକ୍ତରଖାନାରେ କୋରୋନା ରୋଗୀଙ୍କ ମୃତଦେହକୁ ଶ୍ମସାନ ପହଞ୍ଚାଇବା ପାଇଁ ନଗର ନିଗମ ଗାଡ଼ିର ବନ୍ଦୋବସ୍ତ କରିଛନ୍ତି । କିନ୍ତୁ ମଙ୍ଗଳବାର ଦିନ ରାଜସ୍ଥାନର ଯୋଦ୍ଧପୁରରେ ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି।
ସେଠାରେ ଜଣେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାବେଳେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ସେହି ମୃତଦେହକୁ ହସ୍ପିଟାଲରୁ ଶ୍ମଶାନ ପର୍ଯ୍ୟନ୍ତ ନେବା ପାଇଁ ତାଙ୍କ ଝିଅମାନଙ୍କୁ ଯଥେଷ୍ଟ ସଂଘର୍ଷ କରିବାକୁ ପଡିଥିଲା । ଦୀର୍ଘ ସମୟ ଧରି ତିନି ଝିଅ, ତାଙ୍କ ମା’ଙ୍କ ମୃତଦେହକୁ ଶ୍ମଶାନ ଘାଟ ପର୍ଯ୍ୟନ୍ତ ନେବା ପାଇଁ ଡାକ୍ତରଖାନା ବାହାରେ ଥିବା ଆମ୍ବୁଲାନ୍ସ ଏବଂ ଅନ୍ୟ ଡ୍ରାଇଭରମାନଙ୍କ ନିକଟରେ କାକୁତି ମିନତି ହେଉଥିଲେ । ହେଲେ କେହି ଜଣେ ବି ରାଜି ହୋଇନଥିଲେ। ସେତେବେଳକୁ ତାଙ୍କ ମା’ସନ୍ତୋଶ ଲତାଙ୍କ କୋରୋନା ରିପୋର୍ଟ ମଧ୍ୟ ଆସିନଥିଲା । ଶେଷରେ ଜଣେ ଲୋଡିଂ ଟାମ୍ପୋ ଡ୍ରାଇଭର ସାହସ ଦେଖାଇ ତାଙ୍କ ମା’ଙ୍କ ମୃତଦେହକୁ ଶ୍ମଶାନଘାଟ ନେଇଥିଲେ । ସେଠାରେ ସମ୍ପର୍କୀୟଙ୍କ ସହାୟତାରେ ତିନି ଝିଅ ନିଜ ମା’ଙ୍କ ଅନ୍ତିମ ସଂସ୍କାର କରିଥିଲେ।