ନୂଆଦିଲ୍ଲୀ: ଭୟ ବଢାଉଛି ବାତ୍ୟା ୟସ । ଓଡିଶା ଉପରେ ରହିଛି ଏହାର ଆଖି । ବଙ୍ଗୋପସାଗରକୁ ସଂଲଗ୍ନ ଉପକୂଳବର୍ତ୍ତୀ ରାଜ୍ୟ ପାଇଁ ଆଗାମୀ 12 ଘଣ୍ଟା ବେଶ ସମ୍ବେଦନଶୀଳ । କାରଣ ଅତି ଭୀଷଣ ସାମୁଦ୍ରିକ ଝଡ ରୂପ ନେଇ ମାଡିଆସୁଛି ୟସ । ବର୍ତ୍ତମାନ ଘଣ୍ଟାପ୍ରତି 15 କିଲୋମିଟର ରହିଛି ‘ୟସ’ର ବେଗ । ଏହା ପାରାଦୀପଠାରୁ ଏହା 160 ଓ ବାଲେଶ୍ବରଠାରୁ 250 କିଲୋମିଟର ଦୂରରେ ରହିଛି ।
ବାତ୍ୟା ୟସ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା କରିଛି । ତେବେ କେଉଁଠି ଜନ୍ମ ହେଲା ବାତ୍ୟା ୟସ ? କେଉଁଠିକୁ ଯିବ ଏହି ବାତ୍ୟା ? କେତେ ରହିବ ପବନର ବେଗ ? ବାତ୍ୟା ୟସର କୁଣ୍ଡଳୀ ଉପରେ ପକାନ୍ତୁ ନଜର...
ବାତ୍ୟା ୟସର ଜନ୍ମ
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ମେ 23ରେ ପ୍ରଥମ ଥର ଦେଖାଗଲା ୟସ । ଟ୍ରପିକାଲ ଡିଷ୍ଟରବାନ୍ସ କାରଣରୁ ଏହି ବାତ୍ୟା ଜନ୍ମ ନେଇଥିଲା । ବର୍ତ୍ତମାନ ସମୟରେ ଉତ୍ତରଭାରତରେ ସାମୁଦ୍ରିକ ବାତ୍ୟା ଋତୁ ଜାରି ରହିଛି । ଏହି ଋତୁ 2 ଏପ୍ରିଲ 2021ରେ ଆରମ୍ଭ ହୋଇଥିଲା । ଏଥିରେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି 195 କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ସାଧାରଣତଃ ଡିସେମ୍ବର ପର୍ଯ୍ୟନ୍ତ ଚାଲିଥାଏ ଏହି ଋତୁ । ମେ ଓ ନଭେମ୍ବର ଏହାର ପିକ୍ ସିଜିନ ହୋଇଥାଏ ।
ଟ୍ରପିକାଲ ଡିଷ୍ଟରବାନ୍ସ କଣ ?
ଟ୍ରପିକାଲ ଡିଷ୍ଟରବାନ୍ସର ଅର୍ଥ ଏହି ସମୟରେ ଯେଉଁ ବାତ୍ୟା ସୃଷ୍ଟି ହେବ ଏହାର କେନ୍ଦ୍ର ସାଧାରଣତଃ ଉଷ୍ମ ରହିଥାଏ । ଏହା ବାୟୁମଣ୍ଡଳୀୟ ପର୍ଯ୍ୟାବରଣ ଉପରେ ନିର୍ଭାର କରେ । ଏହା ପଛରେ କିଛି କାରଣ ରହିଛି । ପ୍ରଥମଟି ଉଷ୍ମ ସମୁଦ୍ର, ଅତି କମରେ 26.5 ଡିଗ୍ରୀ ସେଲସିୟସ । ଦ୍ବିତୀୟଟି ବାୟୁମଣ୍ଡଳୀୟ ସନ୍ତୁଳନ, ତୃତୀୟରେ ଟ୍ରପୋସ୍ପିୟରର ନିମ୍ନଅଂଶରେ ଉଚ୍ଚସ୍ତରର ଆଦ୍ରତା, ଚତୁର୍ଥଟି କମ ଚାପ ବିଶିଷ୍ଟ କ୍ଷେତ୍ର ଆଉ ପଞ୍ଚମରେ ତଳସ୍ତରରେ ଭର୍ଟିକାଲ ୱିଣ୍ଡ୍ । ଯେବେ ଏସବୁ ଏକା ଥରକରେ ହୁଏ, ସେବେ ଟ୍ରପିକାଲ ଡିଷ୍ଟରବାନ୍ସ ସୃଷ୍ଟି ହୁଏ । ଆଉ ଏହିକାରଣରୁ ଆସେ ବାତ୍ୟା ।