ହାଇଦ୍ରାବାଦ: ସେ ଥିଲେ ଭାରତର ଏକ ରତ୍ନ ଏବଂ ପଦାର୍ଥ ବିଜ୍ଞାନର ଏକ ରଶ୍ମି । ତାଙ୍କ ଆବିଷ୍କାର ମଧ୍ୟ ତାଙ୍କ ନାମ ଅନୁସାରେ ହୋଇଥିଲା, ଯାହାର ନାମ ଥିଲା 'ରମଣ ସ୍କାଟରିଂ' ଓ 'ରମଣ ଇଫେକ୍ଟ' । ଏକାଧାରରେ ସେ ଥିଲେ ଅଧ୍ୟାପକ ଏବଂ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ । ଆଲୋକ ରଶ୍ମି କ୍ଷେତ୍ରରେ ଉତ୍କୃଷ୍ଟ ଉଦ୍ଭାବନ ପାଇଁ ତାଙ୍କୁ ନୋବେଲ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ଭାରତ ସରକାର ମଧ୍ୟ ତାଙ୍କୁ ଭାରତ ରତ୍ନରେ ଭୂଷିତ କରିଥିଲେ ।
ଆଜି ଏହି କିମ୍ବଦନ୍ତୀ ବୈଜ୍ଞାନିକ ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କ ୫୧ତମ ଶ୍ରାଦ୍ଧ ବାର୍ଷିକୀ । ରମଣ ହେଉଛନ୍ତି ପ୍ରଥମ ଭାରତୀୟ, ଯିଏ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ପ୍ରାପ୍ତ ହୋଇଥିଲେ । ଆଲୋକ ପ୍ରତିସରଣ ପାଇଁ ତାଙ୍କୁ ୧୯୩୦ ରେ ନୋବେଲରେ ସମ୍ମାନିତ କରାଯାଇଥିଲା ।
୧୮୮୮ ନଭେମ୍ବର ୭ ରେ ତାମିଲନାଡୁର ତିରୁଚିରାପଲ୍ଲୀର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସିଭି ରମଣ । ତାଙ୍କ ପିତା ଚନ୍ଦ୍ରଶେଖର ରାମନାଥନ୍ ଆୟର ଗଣିତ ଓ ଭୌତିକ ବିଜ୍ଞାନର ଅଧ୍ୟାପକ ଥିଲେ ଏବଂ ମାଆ ପାର୍ବତୀ ଅମ୍ମାଲ ଜଣେ ସଂସ୍କୃତ ପରିବାରର ମହିଳା ଥିଲେ ।
ମାତ୍ର ୧୨ ବର୍ଷ ବୟସରେ ରମଣ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ୧୪ ବର୍ଷ ବୟସରେ ଯୁକ୍ତ ଦୁଇ ଶିକ୍ଷା ଶେଷ କରିଦେଇଥିଲେ । ୧୯୦୨ରେ ସେ ମାଡ୍ରାସର ପ୍ରେସିଡେନ୍ସି କଲେଜରେ ପଦାର୍ଥ ବିଜ୍ଞାନରେ ଯୋଗ ଦେଇଥିଲେ । ପରେ ୧୯୦୭ରେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ହାସଲ କରିଥିଲେ ।