ଜୟପୁର:ରାଜସ୍ଥାନ କରୌଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡର 15 ଦିନ ପରେ ଆଜି (ରବିବାର) କର୍ଫ୍ୟୁ ପ୍ରତ୍ୟାହାର ହୋଇଛି । ଏପ୍ରିଲ 2 ତାରିଖରେ ଏକ ହିନ୍ଦୁ ଧାର୍ମିକ କାର୍ଯ୍ୟକ୍ରମର ଶୋଭାଯାତ୍ରାବେଳେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପଥର ମାଡ କରିବା ପରେ ଗୋଷ୍ଠୀ ସଂଘର୍ଷ ଓ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ଏଥିରେ ଏକାଧିକ ଆହତ ହେବା ସହ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ କର୍ଫ୍ୟୁ ଜାରି କରିଥିଲା ସ୍ଥାନୀୟ ପ୍ରଶାସନ ।
ତେବେ ଘଟଣା ପରେ ରାଜ୍ୟରେ ବଡ ଧରଣର ପ୍ରଶାସନିକ ବଦଳି ମଧ୍ୟ କରିଥିଲେ ଗେହଲଟ ସରକାର । କରୌଲୀର ଜିଲ୍ଲାପାଳଙ୍କୁ ବଦଳି କରାଯାଇଥିବା ବେଳେ ନୂଆ ଜିଲ୍ଲାପାଳ ଭାବେ ଅଙ୍କିତ କୁମାର ସିଂ ମଧ୍ୟ ଆଜି (ରବିବାର) ଦାୟିତ୍ବ ଗ୍ରହଣ କରିଛନ୍ତି । 15 ଦିନ ପରେ ସ୍ଥିତିରେ ସୁଧାର ଆସିବା ଯୋଗୁ କର୍ଫ୍ୟୁ ପ୍ରତ୍ୟାହାର କରିଛି ଜିଲ୍ଲା ପ୍ରଶାସନ ।
ସହରରେ ସାଧାରଣ ଜୀବନ ଯାତ୍ରା ସ୍ବାଭାବିକ ହୋଇଛି । ଜିଲ୍ଲା ପ୍ରଶାସନ ମଧ୍ୟ ଶାନ୍ତି ବଜାୟ ରଖିବା ପାଇଁ ମଧ୍ୟ ନିବେଦନ କରିଛି । ନୂତନ ଜିଲ୍ଲାପାଳ ଦାୟିତ୍ବ ଗ୍ରହଣ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜିଲ୍ଲାରେ ଶାନ୍ତି ଓ ଭାଇଚାରା ଫେରାଇବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି । ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ସମସ୍ତ ଗୋଷ୍ଠୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି । ଆଇନ ଶୃଙ୍ଖଳା ଉପରେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ କଡା ନଜର ରଖାଯାଇଛି ।
ଘଟଣା ପରେ ରାଜ୍ୟରେ ରାଜନୀତି ଜୋର ଧରିଥିଲା । ବିରୋଧୀ ଆଇନ ଶୃଙ୍ଖଳା ସ୍ଥିତି ନେଇ ଗେହଲଟ ସରକାରଙ୍କୁ ଦାୟୀ କରିଥିଲେ । ପରେ ରାଜସ୍ଥାନ ସରକାର ଏକକାଳୀନ 69 IAS ଅଧିକାରୀଙ୍କୁ ବଦଳି କରିଥିଲେ । ଏହି ତାଲିକାରେ କରୌଲୀ ଜିଲ୍ଲାପାଳ ମଧ୍ୟ ରହିଥିଲେ । ତେବେ ଆଜି ଦୀର୍ଘ 15 ଦିନ ପରେ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ