ହାଇଦ୍ରାବାଦ: ସନା(ଛଦ୍ମନାମ), ପଶ୍ଚିମବଙ୍ଗ ଜଲପାଇଗୁଡି ଚାମୁର୍ଚି ଚା' ବଗିଚା ଅଞ୍ଚଳରେ ନିଜ ବାପାମାଆ ଓ ବଡ ଭାଇ ସହ ବସବାସ କରେ । ପିଲାଟିର ପରିବାରର ଆର୍ଥିକ ସ୍ଥିତି ଖୁବ୍ ଦୁର୍ବଳ । ସନାର ବାପାମାଆ ଚା' ବଗିଚାରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ବଡ କଷ୍ଟରେ ପରିବାର ଚଳେ । ବାପା ଯାହା ରୋଜଗାର କରନ୍ତି, ସବୁ ମଦ୍ୟପାନରେ ଉଡାଇ ଦିଅନ୍ତି । ସେପଟେ ମାଆ ମଧ୍ୟ ଶ୍ରମିକ ଥିବାରୁ ଷଷ୍ଠ ଶ୍ରେଣୀରେ ପଢୁଥିବା ଦୁଇ ପିଲାଙ୍କ ଉପରେ ଯଥେଷ୍ଟ ଧ୍ୟାନ ଦେଇପାରିନଥାନ୍ତି । ମାଆ ସକାଳୁ କାମରେ ବାହାରି ଯାଉଥିବାରୁ କୁନି ଝିଅ ସନା ସବୁ ଘର କାମ କରେ । ଯେଉଁଥିପାଇଁ ପାଠ ପଢିବାକୁ କମ୍ ସମୟ ମିଳେ । ଏପରି ସ୍ଥଳେ କୋଭିଡ୍ ଆସିବା ପରେ ଉପାନ୍ତ ଅଞ୍ଚଳରେ ରହୁଥିବା ଏହି ଆର୍ଥିକ ଅନଗ୍ରସର ପିଲାର ପାଠପଢା ଆହୁରି ବ୍ୟାହତ ହେଲା ।
କୋଭିଡ୍ ଯୋଗୁଁ ଲମ୍ବା ସମୟ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଲା । ସନା ଭଳି ଦେଶର ଦୁର୍ଗମ ଅଞ୍ଚଳର ଲକ୍ଷ ଲକ୍ଷ ପିଲା ପାଠପଢାରେ ପଛୁଆ ରହିଗଲେ । ସେମାନଙ୍କ ଶିକ୍ଷାରେ ବଡ ଅନ୍ତରାଳ ସୃଷ୍ଟି ହେଲା । ଡ୍ରପ୍ ଆଉଟ ସଂଖ୍ୟା ବୃଦ୍ଧି ପାଇଲା । ଏହିଭଳି ପିଲାମାନଙ୍କୁ ଶିକ୍ଷା ସହ ଯୋଡି ରଖିବାକୁ ଏବଂ କୋଭିଡ କାଳରେ ସେମାନଙ୍କ ପାଠପଢା କ୍ଷତି ଭରଣା କରିବାକୁ ଅଣ ସରକାରୀ ସଂଗଠନ Child Rights and You(ଚାଇଲ୍ଡ ରାଇଟସ୍ ଆଣ୍ଡ ୟୁ) ମହତ୍ ପଦକ୍ଷେପ ହାତକୁ ନେଇଛି । ରୋଟାରୀ ଇଣ୍ଡିଆ ଲିଟେରାସି ମିଶନ(RILM) ସହ ହାତ ମିଳାଇ ଚାଇଲ୍ଡ ରାଇଟସ୍ ଆଣ୍ଡ ୟୁ ସଂଗଠନ ପିଲାଙ୍କ ପାଠପଢା କ୍ଷତିର ଆକଳନ କରି ୭ରୁ ୧୪ ବର୍ଷର ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ 'ଆଶା କିରନ ସେଣ୍ଟର' କାର୍ଯ୍ୟକାରୀ କରିଛି । ବର୍ତ୍ତମାନ ଝାଡଖଣ୍ଡ, ପଶ୍ଚିମବଙ୍ଗ, ମଣିପୁର ଓ ଜମ୍ମୁ କାଶ୍ମୀରର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସମୁଦାୟ ୩୯ଟି ଆଶା କିରନ ସେଣ୍ଟର କାର୍ଯ୍ୟ କରୁଛି । ଯାହାର ଉଦ୍ଦେଶ୍ୟ, କୋଭିଡ କାଳରେ ପିଲାଙ୍କ ପାଠପଢା କ୍ଷତି ଭରଣା କରିବା ।