ଲକ୍ଷ୍ନୌ:ଉତ୍ତର ପ୍ରଦେଶରେ ୫ ଜଣ ମହିଳା କନେଷ୍ଟବଳ ନିଜର ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେମାନେ ସର୍ଜରୀ ଜରିଆରେ ମହିଳାରୁ ପୁରୁଷ ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଅନୁମତି ଦେବାକୁ ୫ ଜଣଯାକ ୟୁପି ପୋଲିସ ମହାନିର୍ଦ୍ଦେଶକ(DGP)ଙ୍କୁ ଚିଠି ଲେଖିଛନ୍ତି । ଯାହାକି ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମହିଳା କନେଷ୍ଟବଳମାନଙ୍କ ମଧ୍ୟରୁ ୨ ଜଣ ସୀତାପୁର ଜିଲ୍ଲା ଏବଂ ଅନ୍ୟମାନେ ଗୋଣ୍ଡା ଓ ଗୋରଖପୁର ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି ।
ମହିଳା କନେଷ୍ଟବଳମାନେ ଲିଙ୍ଗ ପରିବର୍ତ୍ତନ ସଂକ୍ରାନ୍ତରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଉଲ୍ଲେଖ କରି ଏହା ତାଙ୍କର ସାମ୍ବିଧାନକ ଅଧିକାର ବୋଲି କହିଛନ୍ତି । ୫ ଜଣ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହେବାକୁ ଡିଜିପିଙ୍କଠାରୁ ଅନୁମତି ଲୋଡ଼ିଛନ୍ତି । ଡିଜି ଅଫିସ ପକ୍ଷରୁ ଅନୁମତି ନମିଳିଲେ ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି । କହିରଖୁଛୁ କି, ଦେଶର ସମସ୍ତ ମହିଳା ଓ ପୁରୁଷମାନଙ୍କ ଲିଙ୍ଗ ପରିବର୍ତ୍ତନର ଅଧିକାର ଅଛି ବୋଲି କିଛି ଦିନ ତଳେ ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଥିଲେ । ତେବେ ଏ ସମ୍ପର୍କରେ କୌଣସି ପୋଲିସ ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇନାହାନ୍ତି ।
ଏହାମଧ୍ୟ ପଢନ୍ତୁ: Gender Change: ଲିଙ୍ଗ ପରିବର୍ତ୍ତନ କଲେ କୋଚ୍, ଛାତ୍ରୀଙ୍କୁ କଲେ ବିବାହ
ସୂତ୍ର ମୁତାବକ, ଗୋରଖପୁରରେ କାର୍ଯ୍ୟରତ ମହିଳା କନେଷ୍ଟବଳ ଜେଣ୍ଡର ଡିସ୍ଫୋରିଆର(ନିଜର ଲିଙ୍ଗକୁ ନେଇ ଦ୍ବନ୍ଦ) ପୀଡ଼ିତ ବୋଲି କହିଛନ୍ତି । ପିଲାଟି ବେଳୁ ପୁଅଙ୍କ ଭଳି ରହିବା ତାଙ୍କୁ ପସନ୍ଦ ଥିଲା । ଝିଅମାନଙ୍କ ଡ୍ରେସ ପିନ୍ଧିବାକୁ ଆଦୌ ଭଲ ଲାଗୁନଥିଲା । ସେଥିପାଇଁ ସେ କେବଳ ସାର୍ଟ ଓ ପ୍ୟାଣ୍ଟ ପିନ୍ଧୁଥିଲେ ଓ ପୁଅମାନଙ୍କ ଖେଳ ଖେଳୁଥିଲେ । ତେଣୁ ସ୍କୁଲରେ ସାଙ୍ଗମାନେ ବି ତାଙ୍କୁ ପୁଅ ପୁଅ କହି ଚିଡାଉଥିଲେ । ଚାକିରି ପାଇବା ପରଠୁ ସେ ପୁରୁଷଙ୍କ ଭଳି ସବୁଦିନ ବାଇକରେ ଥାନାକୁ ଯାଆନ୍ତି । ଏବେ ନିଜର ଲିଙ୍ଗ ପରିବର୍ତ୍ତନ ପାଇଁ ସେ ଦିଲ୍ଲୀର ଗୋଟିଏ ବଡ଼ ହସ୍ପିଟାଲ ସହ ଯୋଗାଯୋଗ ମଧ୍ୟ କରି ସାରିଛନ୍ତି ।
ସେପଟେ ସୀତାପୁର ଜିଲ୍ଲାରେ ମଧ୍ୟ ୨ ମହିଳା କନେଷ୍ଟବଳ ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଆଉ ୨ ଜଣ କନେଷ୍ଟବଳଙ୍କ ସମ୍ପର୍କରେ ବିଶେଷ ସୂଚନା ମିଳିପାରିନି । ତେବେ ୫ ଜଣଯାକ ସର୍ଜରୀ କରି ପୁରୁଷ ହେବାକୁ ଡିଜିପିଙ୍କୁ ଚିଠି ଲେଖିଥିବାର ଖବର ସାମ୍ନାକୁ ଆସିଛି । ଡିଜି ଅଫିସ ମଧ୍ୟ ସେହିସବୁ ଜିଲ୍ଲାର ଏସପିଙ୍କୁ ଚିଠି କରି ସେମାନଙ୍କର କାଉନସେଲିଂ କରିବାକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ସୀତାପୁର ଏସପି ଚକ୍ରେଶ ମିଶ୍ରାଙ୍କ ସହ ଯୋଗଯୋଗ କରାଯାଇଥିଲେ ହେଁ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ