ନୂଆଦିଲ୍ଲୀ:ପାଓ୍ବାରଫୁଲ୍ କୋଭାକ୍ସିନ । କୋଭିଡ୍ ଡବଲ ମ୍ୟୁଟାଣ୍ଟ ବିରୋଧରେ ଶତ ପ୍ରତିଶତ ପ୍ରଭାବଶାଳୀ ସ୍ବଦେଶୀ ଟିକା କୋଭାକ୍ସିନ । ମହାମାରୀ କୋରୋନାକୁ ମାତ ଦେବାକୁ ଟୀକାକରଣରେ ବ୍ୟବହୃତ କୋଭାକ୍ସିନକୁ ନେଇ ସାମ୍ନାକୁ ଆସିଛି ଏହି ବଡ ଖବର । କୋରୋନା ବିରୋଧରେ ବେଶ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ସ୍ବଦେଶୀ ଟିକା କୋଭାକ୍ସିନ ।
କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲର ଶେଷ ତଥ୍ୟ ଜାରି କରିଛନ୍ତି ଭାରତ ବାୟୋଟେକ ଓ ଆଇସିଏମଆର । କୋଭାକ୍ସିନର କ୍ଲିନିକାଲ ଟ୍ରାଏଲର ପ୍ରଭାବ 78 ପ୍ରତିଶତ ଥିବାବେଳେ ଗୁରୁତର କୋଭିଡ ରୋଗ ବିରୋଧରେ ଏହା ଶତପ୍ରତିଶତ ପ୍ରଭାବଶାଳୀ ବୋଲି ରିପୋର୍ଟରେ କୁହାଯାଇଛି ।
କେବଳ ଏତିକି ନୁହେଁ, ଆଇସିଏମଆରର ଅନୁସନ୍ଧାନରୁ ଜଣାପଡିଛି ଯେ ଦେଶରେ ପ୍ରସ୍ତୁତ ଭାରତ ବାୟୋଟେକର କୋଭାକ୍ସିନ SARS-Cov-2ର ସମସ୍ତ ଭ୍ୟାରେଏଣ୍ଟ ସହିତ ଲଢିବାରେ ସକ୍ଷମ । ଭାରତରେ କୋରୋନାର ନୂଆ ଲହରୀ ପଛରେ ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନର କାରଣ ଥିବା କୁହାଯାଉଛି । ତେବେ କୋଭାକ୍ସିନ ଡବଲ ମ୍ୟୁଟାଣ୍ଟ ବିରୋଧରେ ଲଢିବା ପାଇଁ ବେଶ ଶକ୍ତିଶାଳୀ ଥିବା ରିପୋର୍ଟରେ କୁହାଯାଇଛି ।
ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ 18 ରୁ 98 ବର୍ଷ ମଧ୍ୟରେ 25000 ଲୋକଙ୍କୁ ସାମିଲ କରାଯାଇଥିଲା । ଏଥିରେ 60 ବର୍ଷରୁ ଅଧିକ ବୟସ୍କର 10 ପ୍ରତିଶତ ଲୋକେ ସାମିଲ ଅଛନ୍ତି । ଟ୍ରାଏଲ ସମୟରେ ଏହି ଲୋକଙ୍କୁ 14 ଦିନ ପରେ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ଦିଆଯାଇଥିଲା ।
ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜୀ (NIV) SARS-Cov-2 ଭାଇରସର ଅନେକ ଭ୍ୟାରିଏଣ୍ଟକୁ ସଫଳତାର ସହିତ ଅଲଗା କରିଛି । ଏଥିରେ ବ୍ରାଜିଲ ଭ୍ୟାରେଏଣ୍ଟର B.1.1.28, ବ୍ରିଟେନର B.1.1.7 ସହିତ ଦକ୍ଷିଣ ଆଫ୍ରିକୀୟ ଭ୍ୟାରିଏଣ୍ଟର B.1.351 ସାମିଲ ରହିଛି ।