ନୂଆଦିଲ୍ଲୀ:ଆତଙ୍କୀ ପାଣ୍ଠି ସଂଗ୍ରହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଆତଙ୍କବାଦୀ ୟାସୀନ ମଲ୍ଲିକକୁ ମୃତଦଣ୍ଡ ଦେବା ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା NIA କରିଥିବା ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହି ମାମଲାରେ ଦୋଷୀ ୟାସିନ ମଲ୍ଲିକକୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ହାଇରକୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ 9 ତାରିଖରେ ରଖାଯାଇଛି ।
ଜଷ୍ଟିସ ସିର୍ଦ୍ଧାର୍ଥ ମୃଦୁଳ ଓ ଜଷ୍ଟିସ ତଲବନ୍ତ ସିଂ ଆଜି(ସୋମବାର) ଏହି ମାମଲାର ଶୁଣାଣି କରିଥିଲେ । ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା, ସ୍ବତନ୍ତ୍ର ସରକାରୀ ଓକିଲ ଅକ୍ଷୟ ମଲ୍ଲିକ, ଆଇନଜୀବୀ ଖାବର ସଲିମ ପକ୍ଷ ରଖିଥିଲେ । ତୁଷାର ମେହେଟ୍ଟା କହିଥିଲେ, ୟାସିନ ମଲ୍ଲିକ କାଶ୍ମୀରରେ ବିଛିନ୍ନତାବାଦ ଓ ଆତଙ୍କବାଦକୁ ପ୍ରୋତ୍ସାହିତ କରିଛି । ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ଯୋଗାଡ କରିଛି । ଏକାଧିକ ଅକ୍ରମଣ ଘଟଣାରେ ସେ ପ୍ରତ୍ୟେକ୍ଷ ସମ୍ପୃକ୍ତ । 90 ଦଶକରେ 4 ବାୟୁସେନା ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ଓ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ମୁଫତି ମହମ୍ମଦ ସୟଦଙ୍କ ଝିଅଙ୍କୁ ଅପହରଣ କରିବା ଘଟଣାରେ ୟାସିନ ହିଁ ମୁଖ୍ୟ ଅଭିଯୁକ୍ତ । ତେଣୁ ଏହି ମାମଲାରେ ତାକୁ କେବଳ ଫାଶୀ ଦଣ୍ଡ ହିଁ ପ୍ରଯୁଜ୍ୟ ।