ବେଙ୍ଗାଲୁରୁ: ଦେଶରେ କୋଭିଡ ସଂକ୍ରମଣ ପୁଣି ଚିନ୍ତା ବଢାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି କଟକଣା କଡାକଡି କରିଛନ୍ତି କର୍ଣ୍ଣାଟକ ସରକାର । ଜାରି ହୋଇଥିବା ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ବାହାର ରାଜ୍ୟରୁ କର୍ଣ୍ଣାଟକକୁ ଆସୁଥିବା ବ୍ୟକ୍ତିଙ୍କୁ କୋଭିଡ ନେଗେଟିଭ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ପୁଣି ଥରେ କୋଭିଡ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି । କର୍ଣ୍ଣାଟକର ଦୁଇ ପଡୋଶୀ ରାଜ୍ୟ ମହାରାଷ୍ଟ୍ର ଓ କେରଳରେ ସ୍ଥିତି ଜଟିଳ ଥିବାଯୋଗୁ କର୍ଣ୍ଣାଟକ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
କର୍ଣ୍ଣାଟକ ଓ କେରଳ ସୀମା ସିଲ କରିବା ସହ କେରଳରୁ ଆସୁଥିବା ଯାତ୍ରୀଙ୍କ ପାଇଁ ମାଙ୍ଗାଲୋର ଠାରେ ଆରଟିପିସିଆର ଟେଷ୍ଟ ରିପୋର୍ଟ ଯାଞ୍ଚ କରୁଛି କର୍ଣ୍ଣାଟକ ପ୍ରଶାସନ । ସମାନ ବ୍ୟବସ୍ଥା ମଧ୍ୟ କର୍ଣ୍ଣାଟକ ଓ ମହାରାଷ୍ଟ୍ର ସୀମାର ବେଲଗାଭିରେ ଦେଖିବାକୁ ମିଳଛି । କିଛି ସ୍ଥାନରେ କର୍ଣ୍ଣାଟକ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି ।