ବେଙ୍ଗାଲୁରୁ:କର୍ଣ୍ଣାଟକ ମତଦାନକୁ ଆଉ ସପ୍ତାହେ ବାକି ଥିବା ବେଳେ ପ୍ରଚାର ମୈଦାନ ମଧ୍ୟରେ ସମସ୍ତ ଦଳର ହେଭିଓ୍ବେଟ । ଶାସନରେ ଥିବା ଭାରତୀୟ ଜନତା ପାର୍ଟି ପାଇଁ ଦଳର ମୁଖ୍ୟ ଚେହେରା ପ୍ରଧାନମନ୍ତ୍ରୀ ମୋଦି ମାରାଥନ ପ୍ରଚାର ଜାରି ରଖିଛନ୍ତି । ଆଜି (ମଙ୍ଗଳବାର) କର୍ଣ୍ଣାଟକର ହୋସପେଟରେ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି କଂଗ୍ରେସର ଇସ୍ତାହାରରେ ବଜରଙ୍ଗ ଦଳ ବ୍ୟାନ ଘୋଷଣାକୁ ନେଇ ପ୍ରଧାନମନ୍ତ୍ରୀ ବର୍ଷିଛନ୍ତି । କହିଛନ୍ତି, ‘‘ସେମାନେ ପ୍ରଥମେ ପ୍ରଭୁ ରାମଙ୍କୁ ତାଲା ବନ୍ଦ କରିଥିଲେ । ଏବେ ବଜରଙ୍ଗବାଲୀଙ୍କୁ ମଧ୍ୟ ତାଲା ବନ୍ଦ ସଂଙ୍କଳ୍ପ ନେଇଛନ୍ତି ।’’ କଂଗ୍ରେସ ନିଜ ଇସ୍ତାହାରରେ ବଜରଙ୍ଗ ଦଳକୁ ଏକ ସାମ୍ପ୍ରଦାୟିକ ଶକ୍ତି ଓ ଏହାକୁ ନିଷେଧ ଘୋଷଣା କରାଯିବା ନେଇ ଉଲ୍ଲେଖ କରିଥିଲା ।
ପ୍ରଧାନମନ୍ତ୍ରୀ କହିଥିଲେ,‘‘ଆଜି ମୁଁ ପ୍ରଭୁ ବଜରଙ୍ଗବାଲୀଙ୍କ ପ୍ରବିତ୍ର ଭୂମିକୁ ଆସିଛି । ହେଲେ ସେମାନେ (କଂଗ୍ରେସ) ପ୍ରଥମେ ପ୍ରଭୁ ରାମଙ୍କୁ ତାଲା ବନ୍ଦ କରିଥିଲେ । ଏବେ ବଜରଙ୍ଗବାଲୀ କି ଜୟ ନାରା ଦେଉଥିବା ଭକ୍ତଙ୍କୁ ମଧ୍ୟ ତାଲା ବନ୍ଦ କରିବା ପାଇଁ ସଂକଳ୍ପ ନେଇଛନ୍ତି । କଂଗ୍ରେସ ତାର ନିର୍ବାଚନୀ ଘୋଷଣାପତ୍ରରେ, ବଜରଙ୍ଗଦଳକୁ ଏକ ସାମ୍ପ୍ରଦାୟିକ ଶକ୍ତି ବୋଲି ଦର୍ଶାଇବା ସହ ରାଜ୍ୟରେ ନିଷେଧ ଘୋଷଣା କରିବା ନେଇ ଉଲ୍ଲେଖ କରିଥିଲା । ଯାହାକୁ ବିଜେପି ଓ ନିଜେ ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାରେ ପ୍ରସଙ୍ଗ କରିଛନ୍ତି ।
କଂଗ୍ରେସ କରିଥିବା ଘୋଷଣା ପତ୍ରରେ ବଜରଙ୍ଗ ଦଳକୁ କେନ୍ଦ୍ର ସରକାରଙ୍କ ଦ୍ବାରା ନିଷେଧ ଘୋଷଣା ହୋଇଥିବା ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI) ସହ ତୂଳନା କରାଯାଇଥିଲା । କଂଗ୍ରେସ କହିଥିଲା ଏହି ସ୍ବଂୟ ସେବକ ସଂଘ ଓ ବିଶ୍ବ ହିନ୍ଦୁ ପରିଷଦର ଯୁବ ଶାଖା ବଜରଙ୍ଗ ଦଳ ସମାଜରେ ଘୃଣା ଓ ଶତୃତା ସୃଷ୍ଟି କରୁଛି । କୌଣସି ସଂଖ୍ୟାଲଘୁ କିମ୍ବା ସଂଖ୍ୟା ଗରିଷ୍ଠ ହୁଅନ୍ତୁ ଏପ୍ରକାର ସମସ୍ତ ସଂଗଠନ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବ ।