ହାଇଦ୍ରାବାଦ:ଆଜି ଗୁଜୁରାଟ ବିଧାନସଭାର ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂରେ ଅହମ୍ମଦାବାଦରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଭୋଟ ଦେବା ପରେ ବୁଥ ବାହାରେ ରାସ୍ତାରେ କିଛି ବାଟ ଚାଲି ଚାଲି ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଯାହାକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । କଂଗ୍ରେସ ଓ ତୃଣମୂଳ କଂଗ୍ରେସ ଏହାକୁ ନିର୍ବାଚନୀ ଆଚରଣ ବିଧି ଉଲ୍ଲଙ୍ଘନ ଦର୍ଶାଇ ନିର୍ବାଚନ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି (Congress Slams Polls Body For PMs Roadshow)।
କଂଗ୍ରେସ ପ୍ରବକ୍ତା ପଓ୍ବନ ଖେଡା ଏକ ପ୍ରେସମିଟ କରି ନିର୍ବାଚନ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି । ଭୋଟିଂ ଜାରି ରହିଥିବା ପ୍ରଧାନମନ୍ତ୍ରୀ ଭୋଟ ଦେଇ ସାରି ରୋଡ ଶୋ କରିବା ନିର୍ବାଚନ ଆଚରଣ ବିଧିର ସ୍ପଷ୍ଟ ଉଲଙ୍ଘନ । ଏହି ମାମଲାରେ ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛି । ରାଜ୍ୟରେ ସରକାର, ଦଳ ଓ ନିର୍ବାଚନ କମିଶନ ଗୋଟିଏ ଧାରାରେ ଗତି କରୁଛନ୍ତି ବୋଲି ପଓ୍ବନ ଅଭିଯୋଗ କରିଛନ୍ତି ।
କଂଗ୍ରେସ ପରି ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଛି (TMC Slams Polls Body For PMs Roadshow) । ମତଦାନ ଦିନ ଭୋଟ ଦେଇ ସାରିବା ପରେ ଏପରି ରୋଡ ଶୋ କରିବା ଜନମତକୁ ପ୍ରଭାବିତ କରିବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଏପରି ରୋଡ ଶୋ ନିର୍ବାଚନରେ ମତାଦାନ ଜାରି ରହିଥିବା ବେଳେ ସମ୍ପୂର୍ଣ୍ଣ ବେଆଇନ । ଏସମ୍ପର୍କରେ ନିର୍ବାଚନ ଆୟୋଗ ଚୁପ ବସିଛି । ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦେଉଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ଭୋଟ ଦେବାକୁ କିଛି ବୁଥ ପର୍ଯ୍ୟନ୍ତ ଚାଲି ଚାଲି ଆସିଥିଲେ । ସେହିପରି ଭୋଟ ଦେବା ପରେ ବୁଥରୁ ବାହାରି ମଧ୍ୟ କିଛି ବାଟ କାର୍କେଡ ପରିବର୍ତ୍ତେ ଚାଲି ଚାଲି ଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରବଳ ଭିଡ ମଧ୍ୟ ହୋଇଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କୁ ହାତ ହଲାଇ ଅଭିବାଦନ ମଧ୍ୟ ଗ୍ରହଣ କରିଥିଲେ । ଯାହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ