ଓଡିଶା

odisha

‘କଂଗ୍ରେସ ଫାଇଲ୍ସ’ ଭିଡିଓ ସିରିଜ ଜାରି କଲା ବିଜେପି, କହିଲା 70 ବର୍ଷରେ କଂଗ୍ରେସ ଲୁଟିଛି 48 ଖାରବ ସମ୍ପତ୍ତି

By

Published : Apr 2, 2023, 7:04 PM IST

2024 ପୂର୍ବରୁ ଭିଡିଓ କ୍ୟାମ୍ପେନ ଆରମ୍ଭ କଲା ଭାରତୀୟ ଜନତା ପାର୍ଟି । ‘କଂଗ୍ରେସ ଫାଇଲ୍ସ’ ନାମରେ ଭିଡିଓ ସିରିଜ ଜାରି । ଅଧିକ ପଢନ୍ତୁ

Congress Files
Congress Files

ନୂଆଦିଲ୍ଲୀ:2024 ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ନିଜର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ବିରୋଧରେ ଡିଜିଟାଲ କ୍ୟାମ୍ପେନ ଆରମ୍ଭ କରିଛି । ଆଜି (ରବିବାର) ଦଳ ପକ୍ଷରୁ କଂଗ୍ରେସକୁ ଏକ ଦୁର୍ନୀତିଗ୍ରସ୍ତ ଦଳ ଓ ଦୀର୍ଘ ଦଶନ୍ଧିର ଶାସନରେ କଂଗ୍ରେସ ଦେଶକୁ ଲୁଟିଥିବା ଦର୍ଶାଇ ଏକ ଭିଡିଓ ସିରିଜ୍‌ର ପ୍ରଥମ ଏପିସୋଡ ପୋଷ୍ଟ କରାଯାଇଛି । ଯାହାର ନାମ ରଖାଯାଇଛି ‘କଂଗ୍ରେସ ଫାଇଲ୍ସ’ । ଏହାର ପୋଷ୍ଟର ଇମେଜରେ ଏକ ମୁଦ୍ରାର ଗୋଟିଏ ପାର୍ଶ୍ବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଭଉଣୀ ତଥା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଥିବା ଦେଖିବାକୁ ମିଳିଛି । ଭାରତୀୟ ଜନତା ପାର୍ଟିର ଅଫିସିଆଲ ଟ୍ବିଟର ହ୍ୟାଣ୍ଡଲରେ ଏହାକୁ ପୋଷ୍ଟ କରାଯିବା ସହ ଏହା କେବଳ ଟ୍ରେଲର ବୋଲି କୁହାଯାଇଛି ।

ଭିଡିଓରେ ବିଜେପି ଅଭିଯୋଗ କରିଛି, ସ୍ବାଧୀନତା ପରଠାରୁ 2014 ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସ 70 ବର୍ଷ କ୍ଷମତାରେ ଥିବା ମଧ୍ୟରେ ଦେଶରେ ପ୍ରାୟ 48 ଖାରବ 20 ଆରବ 69 କୋଟି (48,20,69,00,00,000)ର ସମ୍ପତି ଲୁଟିଛି । ଏହି ଅର୍ଥରାଶିରେ ଦେଶର ଏକାଧିକ କ୍ଷେତ୍ରରେ ପ୍ରଗତି ହୋଇପାରିଥାନ୍ତା । ଏହି ଅର୍ଥ ଲୁଟ ଫଳରେ ଦେଶର ପ୍ରଗତିରେ ବ୍ୟାପକ ବାଧାପ୍ରାପ୍ତ ହୋଇଥିବା ବିଜେପି କହିଛି । କଂଗ୍ରେସ ସମୟରେ ଲୁଟାଯାଇଥିବା ଏହି ବିପୁଳ ଟଙ୍କାରେ ଦେଶର ପ୍ରତିରକ୍ଷାଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ଏକାଧିକ କ୍ଷେତ୍ରରେ ବିକାଶ କାର୍ଯ୍ୟ କରାଯାଇ ପାରିଥାନ୍ତା ।

ଲୁଟା ଯାଇଥିବା ଅର୍ଥରାଶିରେ 24ଟି ବିମାନ ପରିବାହୀ ଯୁଦ୍ଧପୋତ ବିକ୍ରାନ୍ତ, 300 ରାଫେଲ ବିମାନ ଓ ଏକ ହଜାର ମଙ୍ଗଳ ମିଶନ କରାଯାଇ ପାରିଥାନ୍ତା ବୋଲି ବିଜେପି କହିଛି । ଏହି ଭିଡିଓରେ ବିଜେପି ଏହା ବାର୍ତ୍ତା ଦେବାକୁ ଚାହିଁଛି ଯେ, କଂଗ୍ରେସର ଅର୍ଥ ଦୁର୍ନୀତି (congress means corruption) । ଏଥିରେ ୟୁପିଏ ଶାସନରେ 1.86 ଲକ୍ଷ କୋଟି ଟଙ୍କାର କୋଇଲା ଘୋଟାଲା, 1.76 ଲକ୍ଷ କୋଟି ଟଙ୍କାର 2G ସ୍ପେକ୍ଟ୍ରମ୍ ଘୋଟାଲା, 10 ଲକ୍ଷ କୋଟି ଟଙ୍କାର ମନରେଗା ଘୋଟାଲା, 70,000 କୋଟି ଟଙ୍କାର ରାଜ୍ୟଗୋଷ୍ଠୀ କ୍ରୀଡା ଦୁର୍ନୀତି ହୋଇଛି । ସେହିପରି ଇଟାଲୀ ସହ ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ଭିଆଇପି ହେଲିକପ୍ଟର କିଣା ଡିଲରେ 362 କୋଟିର ଦୁର୍ନୀତ ହୋଇଥିବା ବିଜେପି ଦର୍ଶାଇବାକୁ ପ୍ରୟାସ କରିଛି ଭାରତୀୟ ଜନତା ପାର୍ଟି ।

ସେହିପରି 2004ରୁ 2014 ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରର ନେତୃତ୍ବ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ ଏହି ଭିଡିଓରେ ତୀକ୍ଷ୍ଣ ସମାଲୋଚନା କରିଛି ଦଳ । ମନମୋହନ ସିଂ ମୌନୀ ବାବା ସାଜିଥିଲେ । ତମାମ୍‌ ଦୁର୍ନୀତି ସମ୍ପର୍କରେ ସେ ମୌନବ୍ରତ ଧାରଣ କରି ଆଖି ବୁଜି ଦେଇଥିଲେ ବୋଲି ମଧ୍ୟ ବିଜେପି କହିଛି । ଏହି ଭିଡିଓକୁ ଏକ ସିରିଜ ପରି କ୍ରମାଗତ ଏପିସୋଡ ଜାରି କରିବ ବିଜେପି । ଦଳ କହିଛି ଏହି ପ୍ରଥମ ଭିଡିଓ କେବଳ ଟ୍ରେଲର ମାତ୍ର, ଫିଲ୍ମ ଏବେ ମଧ୍ୟ ବାକି ଅଛି । କଂଗ୍ରେସ ପକ୍ଷରୁ ଏହାକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details