ବେଙ୍ଗାଲୁରୁ: ବଜାରରୁ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିବା ନେଇ ଆଜି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ଏହାପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟା । ତେବେ ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରୁ ଲୋକଙ୍କ ଧ୍ୟାନ ହଟାଇବା ଲାଗି ବିଜେପି ଏପରି ହତାଶ ପ୍ରୟାସ କରିଛି । ଏହି ଉତ୍ସବରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବାକୁ ଥିବା ବେଳେ ବିଜେପିର ବିଫଳତାର ଝଲକ ଦେଖିବାକୁ ମିଳିବ । ଏଥିଲାଗି ଉତ୍ସବର ଗୋଟିଏ ଦିନ ପୂର୍ବରୁ ବିଜେପି ଏପରି ପ୍ରୟାସ କରିଥିବା ସିଦ୍ଧରମୈୟା କହିଛନ୍ତି ।
RBI ଶୁକ୍ରବାର ସନ୍ଧ୍ୟାରେ ଏହି ବଡ଼ ଘୋଷଣା କରିଛି । ଆଉ ବଜାରରେ ୨୦୦୦ ଟଙ୍କିଆ ନୋଟ ଉପଲବ୍ଧ ହେବ ନାହିଁ । ଏହାର ମୁଦ୍ରଣ ୨୦୧୮ ମସିହାରୁ ବନ୍ଦ ରହିଛି । ତେବେ ଯେଉଁମାନଙ୍କ ନିକଟରେ ଏହି ନୋଟ ରହିଛି ସେମାନେ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ନିକଟସ୍ଥ ବ୍ୟାଙ୍କରେ ବଦଳାଇବାକୁ ପରାମର୍ଶ ଦେଇଛି ଆରବିଆଇ । ଆସନ୍ତା ୨୩ ତାରିଖରୁ ଏହାର ବଦଳାଇବା ପ୍ରକ୍ରିୟା ଆରମ୍ଭ ହେବ । ଜଣେ ବ୍ୟକ୍ତି ୨୦ହଜାର ପର୍ଯ୍ୟନ୍ତ ନୋଟ ବଦଳାଇପାରିବ । ତେବେ ଏହି ବଡ଼ ଘୋଷଣା ପରେ ସାରା ଦେଶରେ ଏକପ୍ରକାର ଚର୍ଚ୍ଚା ହେଉଥିବା ବେଳେ ଏହା ବିଜେପିର ହତାଶ ପ୍ରୟାସ ବୋଲି କହିଛନ୍ତି ସିଦ୍ଧରମୈୟା ।
ଏହା ବି ପଢନ୍ତୁ- RBIର ବଡ ଘୋଷଣା: କାରବାରରୁ ବାଦ ପଡିବ 2000 ଟଙ୍କିଆ ନୋଟ, 30 ସେପ୍ଟେମ୍ବର ସୁଦ୍ଧା ବଦଳାଇ ହେବ
ଏହି ଘୋଷଣା ପରେ ସିଦ୍ଧରମୈୟା ଟ୍ବିଟ କରି ପ୍ରତିକ୍ରିୟା ରଖି କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆଉ ଏକ ବିମୁଦ୍ରୀକରଣ । ଏହି ଘୋଷଣା ଦ୍ବାରା ବିଜେପି ସରକାର ନିଜ ପଲିସି ଉପରେ ସ୍ପଷ୍ଟତା ବଜାୟ ରଖିବାରେ ବିଫଳ ହୋଇଛି । ଯଦି ବନ୍ଦ କରିବାର ଥିଲା ତେବେ ୨୦୧୬ ମସିହାରେ ଏହି ସରକାର କଣ ପାଇଁ ୨୦୦୦ ଟଙ୍କିଆ ନୋଟ ପ୍ରଚଳିତ କରିଥିଲା । ଏହା କେବଳ ବିଜେପିର ହତାଶ ଉଦ୍ୟମ । ନିଜ ବିଫଳତା ଉପରୁ ଲୋକଙ୍କୁ ଧ୍ୟାନକୁ ହଟାଇବା ଲାଗି ଏହା ଏକ ପ୍ରୟାସ ।"
ଅନ୍ୟପଟେ ଆସନ୍ତାକାଲି ଶପଥ ନେବାକୁ ଯାଉଛନ୍ତି ସିଦ୍ଧରମୈୟା । ମଧ୍ୟାହ୍ନ ୧୨.୩୦ଟାରେ ବେଙ୍ଗାଲୁରୁ କାନ୍ତିରୱା ଷ୍ଟାଡିୟମରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହାରି ସହ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ସରକାର ଗଢିବ କଂଗ୍ରେସ । ଏହି ସମାରୋହରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ । ଏହାକୁ ନେଇ ଗତ କିଛି ଦିନ ଧରି ଚାଲିଥିବା ଚର୍ଚ୍ଚା ଉପରେ RBIର ଘୋଷଣା ଏକପ୍ରକାର ଅଙ୍କୁଶ ଲଗାଇଛି । ଏବେ ମିନି ବିମୁଦ୍ରୀକରଣ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି ।
ସୂଚନା ଥାଉ କି ୨୦୧୬ ମସିହାରେ ବିମୁଦ୍ରୀକରଣ ପରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଆରମ୍ଭ ହୋଇଥିଲା । ଗତ ୨୦୧୮-୧୯ରୁ ୨୦୦୦ ଟଙ୍କିଆ ନୋଟ ଛାପା ବନ୍ଦ ହୋଇଥିଲା । ଏନେଇ ଆରବିଆଇ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ ସୂଚନା ଦିଆଯାଇଛି । ଏହି ନିର୍ଦ୍ଦେଶ ପରେ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ବଦଳାଇବା ନେଇ ଭିଡ଼ ପରିଲକ୍ଷିତକୁ ଦୃଷ୍ଟିରେ ରଖି ଆରବିଆଇ ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ ଜାରି କରିଛନ୍ତି । ଜଣେ ବ୍ୟକ୍ତି ଏକା ଥରକେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ ବଦଳାଇପାରିବେ । ମେ ୨୩ ତାରିଖଠାରୁ ଏହି ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବ ।