ନୂଆଦିଲ୍ଲୀ:ଆସନ୍ତା ମାସ 22 ତାରିଖରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଏଥିରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରାଯାଇଛି । ତେବେ ଏହି ନିମନ୍ତ୍ରଣକୁ ବେଶ ସକରାତ୍ମକ ଭାବେ ନେଇଛି କଂଗ୍ରେସ । ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ କରାଯାଇଥିବା ସ୍ପଷ୍ଟ କରିଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ଦିଗବିଜୟ ସିଂ । ସୋନିଆ ଏହି ପ୍ରସଙ୍ଗରେ ବେଶ ସକରାତ୍ମକ ଓ ଉତ୍ସାହୀ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।
ନିମନ୍ତ୍ରଣ ସମ୍ପର୍କରେ ଦିଗବିଜୟ କହିଛନ୍ତି, ଏସମ୍ପର୍କରେ ସୋନିଆ ବେଶ ଉତ୍ସାହୀ ଅଛନ୍ତି । ସେ ନିଜେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଅଯୋଧ୍ୟା ଗସ୍ତ କରିବେ । ଯଦି ସେ କୌଣସି କାରଣବଶତଃ ନଯାଇ ପାରନ୍ତି, ତେବେ ତାଙ୍କ ତରଫରୁ କେହି ପ୍ରତିନିଧି କିମ୍ବା ପ୍ରତିନିଧିଙ୍କର ଏକ ଟିମ ଅଯୋଧ୍ୟା ଗସ୍ତ କରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ।
ସେହିପରି ସୋନିଆଙ୍କ ବ୍ୟତୀତ ତାଙ୍କୁ ନିମନ୍ତ୍ରଣ କରାଯାଇଛି କି ନାହିଁ ପ୍ରଶ୍ନରେ ଦିଗବିଜୟ କହିଛନ୍ତି, ବହୁ ରାମଭକ୍ତଙ୍କୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନି । ସେ ମଧ୍ୟ ନିମନ୍ତ୍ରିତ ହୋଇନାହାନ୍ତି । ବିଜେପି ପ୍ରକୃତ ଭକ୍ତଙ୍କୁ ନିମନ୍ତ୍ରଣ କରିନି । ଏପରିକି ମୁରଲୀ ମନୋହର ଯୋଶୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ପରି ବରିଷ୍ଠ ନେତାଙ୍କୁ ସେମାନେ (ବିଜେପି) ନିମନ୍ତ୍ରଣ କରିନଥିବା ଅଭିଯୋଗ କରିଛନ୍ତି ଦିଗବିଜୟ । ଏଠାରେ ଉଲ୍ଲଖଯୋଗ୍ୟ ଯେ, ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏହି ଭବ୍ୟ ଆୟୋଜନ ପାଇଁ ବିରୋଧୀ ନେତାଙ୍କୁ ମଧ୍ୟ ସାମିଲ ହେବାକୁ ନିମନ୍ତ୍ରଣ କରିଛି । କଂଗ୍ରେସ ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ, ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଦଳୀୟ ନେତା ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି ।