ଓଡିଶା

odisha

ETV Bharat / bharat

ବିଜେପି ଶାସିତ ରାଜ୍ୟରେ କାହିଁକି ହେଉନାହିଁ ଜାତିଭିତ୍ତିକ ଜନଗଣନା, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବିଜେପି ଶାସିତ ରାଜ୍ୟରେ କାହିଁକି ଜାତିଭିତ୍ତିକ ଜନଗଣନା ହେଉନାହିଁ ବୋଲି ପ୍ରଶ୍ନ କଲା କଂଗ୍ରେସ । ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ଟାର୍ଗେଟ କଲେ ଜୟରାମ ରମେଶ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

By ETV Bharat Odisha Team

Published : Oct 8, 2023, 3:54 PM IST

ନୂଆଦିଲ୍ଲୀ:୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏବେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଏକ ମୁଖ୍ୟ ନିର୍ବାଚନୀ ମୁଦ୍ଦା ହେବା ପରି ଦୃଶ୍ୟମାନ ହେଲାଣି । ବିହାରର ନୀତିଶ ସରକାର ଏହାକୁ ପ୍ରଥମ ରାଜ୍ୟ ଭାବେ କାର୍ଯ୍ୟକାରୀ କରିବା ପରେ ଏବେ କଂଗ୍ରେସ ଶାସିତ ରାଜସ୍ଥାନ ମଧ୍ୟ ଏହି କ୍ରମରେ ସାମିଲ ହେବାକୁ ଯାଉଛି । ଗେହେଲଟ ସରକାର ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଛନ୍ତି । ତେବେ ଏହାରି ମଧ୍ୟରେ ଜାତୀୟ ସ୍ତରରେ ଏହା ରାଜନୈତିକ ପ୍ରସଙ୍ଗ ହେଲାଣି । ବିଜେପି ଶାସିତ ରାଜ୍ୟରେ କାହିଁକି ଏହି ଜାତିଭିତ୍ତିକ ଜନଗଣନା କାର୍ଯ୍ୟକାରୀ ହେଉନାହିଁ ଓ ପ୍ରଧାନମନ୍ତ୍ରୀ କାହିଁକି ଏହି ପ୍ରସଙ୍ଗରେ ନୀରବତା ଧାରଣା କରିଛନ୍ତି ବୋଲି ପ୍ରଶ୍ନ ଉଠାଇଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ।

ରାଜସ୍ଥାନ ସରକାରଙ୍କ ଘୋଷଣା ପରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏକ୍ସରେ ଲେଖିଛନ୍ତି, ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ସମୟରେ ରାଜସ୍ଥାନର ଏକାଧିକ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟରେ ଓବିସି ପ୍ରତନିଧି ମଣ୍ଡଳୀ ଏକ ଜାତିଭିତ୍ତିକ ଜନଗଣନା କରିବା ପାଇଁ ରାହୁଲଙ୍କ ନିକଟରେ ଦାବି ରଖିଥିଲେ । ସେତେବେଳେ ରାହୁଲ ଏହି ଦାବିକୁ ଗମ୍ଭୀରତାର ସହ ନେଇଥିଲେ । ଏବେ ରାଜସ୍ଥାନ ସରକାର ତାହା ଆରମ୍ଭ କରିବାକୁ ଯାଉଛନ୍ତି । ଏହା ନିଶ୍ଚିତ ଭାବେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ।

ଜାତିଭିତ୍ତିକ ଜନଗଣନାକୁ ବର୍ତ୍ତମାନ ସମୟର ଏକ ଆବଶ୍ୟକତା ଦର୍ଶାଇ ରମେଶ ଲେଖିଛନ୍ତି, ଏହା କରିବା ଦ୍ବାରା ବିଶେଷ ଭାବେ ଏକାଧିକ ଜାତିବର୍ଗର ଉନ୍ନତି ପାଇଁ ଯୋଜାନା ପ୍ରସ୍ତୁତ କରିବାରେ ସଫଳତା ମିଳିବ । ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ ପାଇଁ ବିଶେଷ ଯୋଜନା କାର୍ଯ୍ୟକାରୀ କରିବା ସହଜ ହୋଇପାରିବ । ସେମାନଙ୍କ ଜନସଂଖ୍ୟା ସହ ସେମାନଙ୍କ ସାମାଜିକ ଅଧିକାରକୁ ମଧ୍ୟ ନଶ୍ଚିତ କରାଯାଇପାରିବା ନେଇ ଜୟରାମ ରମେଶ କହିଛନ୍ତି । ତେବେ ଏହି ଜାତିବର୍ଗଙ୍କ ଉନ୍ନତି ପାଇଁ ବିଜେପି ଶାସିତ ରାଜ୍ୟରେ କାହିଁକି ଏହା ଆରମ୍ଭ କରାଯାଉନାହିଁ ଓ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ନୀରବତା ଧାରଣ କରିଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Civic Body Recruitment Scam: ପଶ୍ଚିମବଙ୍ଗ ମନ୍ତ୍ରୀ ଫିରହାଦ ହାକିମଙ୍କ ବାସଭବନରେ ସିବିଆଇ ରେଡ୍‌

ଅନ୍ୟପଟେ କଂଗ୍ରେସ ଏହି ପ୍ରସଙ୍ଗକୁ ନିର୍ବାଚନୀ ମୁଦ୍ଦା କରିବାକୁ ଯାଉଛି । ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜସ୍ଥାନରେ ଜାତିଭିତ୍ତିକ ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଛତିଶଗଡ ଓ ମଧ୍ୟ ପ୍ରଦେଶରେ ମଧ୍ୟ ଜାତିଭିତ୍ତିକ ଜନଗଣନା କରିବା ନେଇ ଦଳ ଘୋଷଣା କରିସାରିଛି । ଦଳର ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀ ମୋଦି କ୍ୟାବିନେଟରେ ଓବିସି ବର୍ଗର ଅଧିକାରୀ ନଥିବା ଅଭିଯୋଗ ଉଠାଇ ବିଜେପି ଉପରେ ଟାର୍ଗେଟ କରୁଥିବା ବେଳେ ଜାତିଭିତ୍ତିକ ଜନଗଣନା ମାଧ୍ୟମରେ ସମାଜରେ ବିଭାଜନ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଥିବା ବିଜେପି କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details