ନୂଆଦିଲ୍ଲୀ:ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିବା ପ୍ରସଙ୍ଗରେ ଉଭୟ ବିଜେପି ଓ ନଡ୍ଡାଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାହୁଲ ଦଳର ଆଗଧାଡିର ନେତା ଓ ଷ୍ଟାର ପ୍ରଚାରକ । ତାଙ୍କ ପ୍ରଚାର କାରଣରୁ 2017 ଓ 2018 ରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ କରିଥିଲା । ଦଳ ରାହୁଲ ପ୍ରଚାର କରିଥିବା ଆସନ ଗୁଡିକରେ ଭଲ ପ୍ରଦର୍ଶନ କରିଥିଲା ବୋଲି କଂଗ୍ରେସ କହିଛି । ନିକଟରେ ନଡ୍ଡା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ରାହୁଲଙ୍କୁ ନେଇ ବ୍ୟଙ୍ଗ କରିଥିଲେ । ରାହୁଲଙ୍କ ପ୍ରଚାର ପରୋକ୍ଷରେ ଭାରତୀୟ ଜନତା ପାର୍ଟି ପାଇଁ ଶୁଭଙ୍କର ବୋଲି ନଡ୍ଡା କହିଥିଲେ ।
ନଡ୍ଡାଙ୍କ ଏହି ଟିପ୍ପଣୀରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ତଥା ଏଆଇସିସି ଗୁଜୁରାଟ ପ୍ରଭାରୀ ବି.ଏମ ସନ୍ଦୀପ କୁମାର କହିଛନ୍ତି, ‘‘ନଡ୍ଡା ତାଙ୍କ କାର୍ଯ୍ୟରେ ଧ୍ୟାନ ଦେବା ଉଚିତ । ନଡ୍ଡାଙ୍କ ଗୃହରାଜ୍ୟ ହିମାଚଳ ପ୍ରଦେଶରେ ବିଜେପି ପରାସ୍ତ ହୋଇଛି । ସେମାନେ ପରବର୍ତ୍ତୀ ସମୟରେ କର୍ଣ୍ଣାଟକରେ ମଧ୍ୟ ପରାଜିତ ହେଲେ । ଏବେ ନିର୍ବାଚନ ଜାରି ରହିଥିବା 5 ରାଜ୍ୟରେ ମଧ୍ୟ ସେମାନେ ନିଜ ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛନ୍ତି । ଏପରି ସମୟରେ ସେମାନେ ନିଜ କାର୍ଯ୍ୟରେ ଧ୍ୟାନ ଦେବା ପରିବର୍ତ୍ତେ ଆମ ନେତାଙ୍କୁ କଟାକ୍ଷ କରିବାରେ ଲାଗିଛନ୍ତି । ନଡ୍ଡା ନିଜ ଦଳୀୟ ପ୍ରସଙ୍ଗରେ ଅଧିକ ଗୁରୁତ୍ବ ଦିଅନ୍ତୁ ।’’
ଆହୁରି ମଧ୍ୟ ସେ କହିଛନ୍ତି,‘‘ ରାହୁଲ ଗାନ୍ଧୀ କଂଗ୍ରେସର ଆଗଧାଡିର ପ୍ରଚାରକ । 2018ରେ ରାହୁଲଙ୍କ ପ୍ରଚାରରେ ଦଳ ବେଶ ଭଲ ଫଳାଫଳ ପାଇଥିଲା । 3 ବଡ ତଥା ମଧ୍ୟ-ଭାରତୀୟ ରାଜ୍ୟ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡରେ ରାହୁଲଙ୍କ ନେତୃତ୍ବରେ ଦଳ ପ୍ରଚାର କରି ବିଜୟ ହାସଲ କରିଥିଲା । ଏହି 3 ରାଜ୍ୟରେ କଂଗ୍ରେସକୁ ଜନାଦେଶ ମିଳିଥିଲା । କଂଗ୍ରେସ ସେଠାରେ ସରକାର ଗଠନ କରିଥିଲେ ସୁଦ୍ଧା ମଧ୍ୟ ପ୍ରଦେଶରେ 2020ରେ ଭାରତୀୟ ଜନତା ପାର୍ଟି ସେଠାରେ ସରକାରର ଷଡଯନ୍ତ୍ରପୂର୍ଣ୍ଣ ପତନ କରି କ୍ଷମତା ହାସଲ କରିଥିଲା । 2017 ରେ ମଧ୍ୟ ରାହୁଲ ଗାନ୍ଧୀ ଦଳ ପାଇଁ ଗୁଜୁରାଟରେ ପ୍ରଚାର କରିଥିଲେ । ଦଳ ମଧ୍ୟ ଅପେକ୍ଷାକୃତ ଭଳ ପ୍ରଦର୍ଶନ କରିଥିଲା । ରାହୁଲଙ୍କ ବହୁପ୍ରତୀକ୍ଷିତ ‘ଭାରତ ଯୋଡୋ ଯାତ୍ରା’ ମଧ୍ୟ ଦକ୍ଷିଣରେ କର୍ଣ୍ଣାଟକରେ ବିଜେପିକୁ କ୍ଷମତାଚ୍ୟୁତ କରି କଂଗ୍ରେସକୁ ଜନାଦେଶ ଦେବାର ଏକ ବଡ ସଫଳତା ମଧ୍ୟ । ’’