ପାଟନା:2024 ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଲଢିବାକୁ ଅଣ୍ଟା ଭିଡିଥିବା ‘ଇଣ୍ଡିଆ’ ମେଣ୍ଟରେ ଚାଲିଥିବା ଅନ୍ତଃକନ୍ଦଳକୁ ପୁଣି ପଦାରେ ପକାଇଛନ୍ତି ମେଣ୍ଟର ବରିଷ୍ଠ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଯେଉଁ ଉଦ୍ଦେଶ୍ୟରେ ମେଣ୍ଟ ଗଠନ କରାଯାଇଥିଲା ତାହା ସେଦିଗରେ ଆଖିଦୃଶିଆ ଆଗେଇ ପାରିନି । ଏଥିପାଇଁ ନୀତିଶ ମେଣ୍ଟର ନେତୃତ୍ବ ନେଉଥିବା ପ୍ରମୁଖ ବିରୋଧୀ ଦଳ କଂଗ୍ରେସକୁ ଦୋଷାରୋପ କରିଛନ୍ତି । କଂଗ୍ରେସକୁ ସାଧାରଣ ନିର୍ବାଚନ ପାଇଁ ମେଣ୍ଟର ନେତୃତ୍ବ ଦିଆଯାଇଥିଲା । ମାତ୍ର କଂଗ୍ରେସ ଏବେ 5 ରାଜ୍ଯରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅଧିକ ରୁଚି ରଖୁଥିବା ନୀତିଶ କହିଛନ୍ତି ।
ଆଜି ରାଜଧାନୀ ପାଟନାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ପକ୍ଷରୁ ଆୟୋଜିତ ‘ବିଜେପି ହଟାଓ,ଦେଶ ବଚାଓ’ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ନୀତିଶ ଏହି ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି, ‘‘ଆମେ ମେଣ୍ଟ ଗଠନ କରିଥିଲୁ । କଂଗ୍ରସକୁ ଏହାର ନେତୃତ୍ବ ନେବା ପାଇଁ ସମର୍ଥନ କରିଥିଲୁ । ମାତ୍ର ଏ ଦିଗରେ ସେପ୍ରକାର କାମ ଆଗେଇ ପାରିନି । କଂଗ୍ରେସ ମେଣ୍ଟକୁ ସୁଦୃଢୀକରଣ ପରିବର୍ତ୍ତେ ଏବେ 5 ରାଜ୍ଯରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ଅଧିକ ଆଗ୍ରହୀ ନଜର ଆସୁଛି । ସେମାନେ ବିଧାନସଭା ନିର୍ବାଚନ କାର୍ଯ୍ୟରେ ହିଁ ଲାଗିଛନ୍ତି । ’’
ଆହୁରି ମଧ୍ୟ ନୀତିଶ କହିଛନ୍ତି, ଏହି ସ୍ଥିତି ସତ୍ତ୍ବେ ମଧ୍ୟ ମେଣ୍ଟ ତାର ଲଢେଇ ବନ୍ଦ କରିବ ନାହିଁ । ମେଣ୍ଟର ପରବର୍ତ୍ତୀ ବୈଠକ 5 ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ପରେ ହେବ । ଏବେ ବିଜେପି ସରକାର ଦେଶର ଇତିହାସ ଓ ଲିଗାସିକୁ ପରିବର୍ତ୍ତନ କରିବାରେ ଲାଗିଛି । ଏହା ବିରୋଧରେ ଆମେ ବିରୋଧୀ ଦଳଙ୍କୁ ଏକାଠି କରି ମେଣ୍ଟ ଗଠନ କଲୁ । ବିଜେପି ବିରୋଧରେ ମେଣ୍ଟ ତାର ଲଢେଇ ଜାରି ରଖିବ ।