ନୂଆଦିଲ୍ଲୀ:ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅଡୁଆରେ ପଡିଛି କଂଗ୍ରେସ । ଅନେକ ବିରୋଧୀ ଦଳ ଗୋଟିଏ ପଟେ ରାହୁଲଙ୍କ ସଦସ୍ୟତା ରଦ୍ଦ ପରେ ଏକଜୁଟ ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ ସାବରକର ମନ୍ତବ୍ୟକୁ ସହଯୋଗୀ ଦଳ ଅସନ୍ତୋଷ ବ୍ୟକ୍ତ କରିଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାବରକର ମନ୍ତବ୍ୟକୁ ନେଇ ରାହୁଲଙ୍କୁ ନିନ୍ଦା କରିଛନ୍ତି । ଏହାସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ସେ ଯୋଗ ଦେବେ ନାହିଁ ବୋଲି ସିଧାସଳଖ ମନା କରିଥିବା ବେଳେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାୱତ କହିଛନ୍ତି ସାରବରକର କିଏ ଆମେ ରାହୁଲଙ୍କୁ କହିବୁ ।
ସଦସ୍ୟତା ରଦ୍ଦ ପରେ ରାହୁଲ ପ୍ରଥମ ପ୍ରତିକ୍ରିୟା ଦେଇ କହିଥିଲେ ଯେ ସେ ସାବରକର ନୁହଁନ୍ତି ଯେ କ୍ଷମା ପ୍ରାର୍ଥନା କରିବେ । ସେ ଜଣେ ଗାନ୍ଧୀ । ପରୋକ୍ଷରେ ରାହୁଲ ଏହା କହିଥିଲେ ଯେ ସାବରକର ବ୍ରିଟିଶମାନଙ୍କୁ କ୍ଷମା ମାଗିଥିଲେ । ଏଭଳି ମନ୍ତବ୍ୟ ଦେବା ପରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିଲାଗି କଂଗ୍ରେସ ବୈଠକରେ ଉଦ୍ଧବ ଗୋଷ୍ଠୀର କୌଣସି ନେତା ସାମିଲ ହୋଇନାହାନ୍ତି । ପାର୍ଟିର ବରିଷ୍ଠ ନେତା ସଞ୍ଜୟ ରାୱତ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟ ସହିତ ସହମତ ନୁହଁନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସର ବରିଷ୍ଠ ନେତାଙ୍କୁ ଏ ସମ୍ପର୍କରେ ଅବଗତ କରାଇବେ ।