ଗାନ୍ଧୀନଗର:ଗୁଜୁରାଟ ଉପକୂଳବର୍ତ୍ତୀ ଆରବ ସାଗରରେ ଭାରତୀୟ ଜଳସୀମାରେ ଅନୁପ୍ରବେଶ କରିଥିବା ଏକ ପାକିସ୍ତାନୀ ମାଛଧରା ବୋଟକୁ ଜବତ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଏଥିରେ ଥିବା 13 ଜଣ ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଛି । ଗତକାଲି ମେରାଟାଇମ ପାଟ୍ରୋଲିଂ ବେଳେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୋଷ୍ଟଗାର୍ଡ ସୂଚନା ଦେଇଛି । ବୋଟଟି ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମ କରି ଭାରତୀୟ ଜଳ ସୀମା ମଧ୍ୟକୁ ପ୍ରାୟ 15 କି.ମି ଅନୁପ୍ରବେଶ କରିଥିବା କୋଷ୍ଟଗାର୍ଡ କହିଛି ।
କୋଷ୍ଟଗାର୍ଡ ପକ୍ଷରୁ ସୂଚନା ଅନୁସାରେ, ଗତକାଲି କୋଷ୍ଟଗାର୍ଡର ପାଟ୍ରୋଲିଂ ଜାହାଜ ‘ଆରିଞ୍ଜୟ’ ଆରବ ସାଗରରେ ଗୁଜୁରାଟ ଉପକୂଳରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଅଜଣା ବୋଟ ଦେଖାଯାଇଥିଲା । ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ନିକଟରେ ଭାରତୀୟ ଜଳରାଶି ମଧ୍ୟରେ ପ୍ରାୟ 15 କିଲୋମିଟର ଭିତରେ ଏହି ବୋଟକୁ ଦେଖି କୋଷ୍ଟଗାର୍ଡ ଚେତାବନୀ ଦେବା ସହ ତନଖି ପାଇଁ ରୋକିବାକୁ ପ୍ରୟାସ କରିଥିଲା । ଏହି ବୋଟଟି ପାକିସ୍ତାନ ଜଳ ସୀମାକୁ ଖସିଯିବାକୁ ଉଦ୍ୟମ କରିଥିଲା । କୋଷ୍ଟଗାର୍ଡ ଜାହାଜ ଏହାକୁ ଫଲୋ କରି ଜବତ କରିବାରେ ସଫଳ ହୋଇଛି ।
ଜବତ ହେବା ପରେ ଏହି ବୋଟଟି ପାକିସ୍ତାନୀ ବୋଟ ଓ ଏଥିରେ ପାକିସ୍ତାନୀ ମତ୍ସ୍ୟଜୀବୀ ଏଥିରେ ଥିବା ଜଣାପଡିଥିଲା । ସମସ୍ତ 13 ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ କଷ୍ଟଡିକୁ ନେଇଛି । ବୋଟକୁ ମଧ୍ୟ ତନଖି କରାଯାଇଛି । କୌଣସି ପ୍ରକାର ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବାର ସୂଚନା ନାହିଁ । ଏହି ବୋଟଟିର ନମ୍ବର ରହିଛି 15653-ବି । ଯାହା ପାକିସ୍ତାନର ପଞ୍ଜିକୃତ ନମ୍ବର ବୋଲି ସ୍ପଷ୍ଟ ହୋଇଛି । ପ୍ରାଥମିକ ଜେରା ପରେ ମିଳିଥିବା ସୂଚନା ଅନୁସାରେ, ଏହି ବୋଟଟି 13 ଜଣ ପାକ- ମତ୍ସ୍ୟଜୀବୀଙ୍କ ସହ 19 ତାରିଖରେ କରାଚି ଫିସିଂ ହର୍ବରରୁ ଆରବ ସାଗରକୁ ମାଛ ମାରିବା ପାଇଁ ବାହାରିଥିଲା । ହେଲେ ସେମାନେ ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମ କରି ଭାରତୀୟ ଜଳରାଶିର 15 କି.ମି ମଧ୍ୟରେ ପ୍ରବେଶ କରିଥିଲେ ।