ହାଇଦ୍ରାବାଦ: ହାଇଦ୍ରାବାଦ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି (ସୋମବାର) ହାଇଦ୍ରାବାଦରେ ସନ୍ଧ୍ୟାରେ ଅନୁଷ୍ଠିତ ନିବେଶକ ସମ୍ମିଳନୀ । ଯାହାକୁ ରାଜ୍ୟ ସରକାର ଏବଂ ଶିଳ୍ପ ସଂଘ ଫିକିର ମିଳିତ ଆନୁକୂଲ୍ୟରେ ଓଡ଼ିଶା ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଛି । ଏଥିରେ ଶିଳ୍ପ କ୍ଷେତ୍ରରୁ ପ୍ରାୟ 300 ନିବେଶକ ଯୋଗ ଦେଇଛନ୍ତି । ନିବେଶକ ସମ୍ମିଳନୀ ପୂର୍ବରୁ ଶିଳ୍ପପତିଙ୍କ ସହିତ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ଯାଏଁ ଭୁବନେଶ୍ବରରେ ହେବ ମେକ ଇନ ଓଡିଶା-୩ ସଂସ୍କରଣ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ଗତ ଜୁଲାଇ ମାସରେ ଦୁବାଇ ଏବଂ ଏହାପରେ ଗତ ସେପ୍ଟେମ୍ବର ମାସରେ ପର୍ଯ୍ୟାୟକ୍ରମେ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଯାଇ ଶିଳ୍ପପତିଙ୍କ ସହିତ ଭେଟି ୱାନ ଟୁ ୱାନ ଆଲୋଚନା କରିଛନ୍ତି । ଏଥି ସହିତ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ନେଇ ବିଜନେସ ଟାଇକୁଣ୍ଡମାନଙ୍କୁ ପ୍ରବର୍ତ୍ତାଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଜି ହାଇଦ୍ରାବାଦର ହୋଟେଲ ତାଜ କ୍ରିଷ୍ଣାରେ 5ମ ତଥା ଶେଷ ଓଡ଼ିଶା ଇନଭେଷ୍ଟର୍ସ ମିଟ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଶିଳ୍ପମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଯୋଗ ଦେବେ ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାଇକ୍ରୋସଫ୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ରାଜୀବ କୁମାର, ଭାରତ ବାୟୋଟେକ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ କ୍ରୀଷ୍ଣା ଏଲା, CTRLS ଡାଟା ସେଣ୍ଟର ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ ପିଏସ ରେଡ୍ଡି, ସନଭିରା ଇଣ୍ଡଷ୍ଟ୍ରିର ପରିଚାଳନା ନିର୍ଦ୍ଦେଶକ ୟାଏ ରାଜୀବ ରେଡ୍ଡି, ଆରୋନ କ୍ୟାପିଟାଲର ପରିଚାଳନା ନିର୍ଦ୍ଦେଶକ ଡାଭିଡ ୱାଲ୍ଫ ଯୋଗ ଦେଇଛନ୍ତି । ସେହିପରି ତୋଷାଳି ସିମେଣ୍ଟ ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ ଏମଏସଆରଭି ପ୍ରସାଦ, ବିଜୟନଗର ବାୟୋଟେକର ପରିଚାଳନା ନିର୍ଦ୍ଦେଶକ ଡି ଭି ରାଜୁ, ରାମକି ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ୟାଏ ଆର୍ ନାଗରାଜା, ମାହା ସିମେଣ୍ଟର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରାମେଶ୍ବର ଜେ ରାଓ, ସୃଷ୍ଟି କଣ୍ଟେକ ପ୍ରାଇଭେଟ ଲିମିଟେଡର ମୁଖ୍ୟ ନିର୍ବାହୀ ଅଧିକାରୀ ଜମପଲା, ମଞ୍ଜିରା ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ଜି ଯୋଗାନନ୍ଦ ଏବଂ ଆପୋଲୋ ସ୍ପେଶିଆଲିଟି ହସ୍ପିଟାଲ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅନିନ୍ଦିଥ ରେଡ୍ଡିଙ୍କ ସମେତ 37 ଜଣ ପୁଞ୍ଜିପତି ସାମିଲ ହୋଇଛନ୍ତି ।