ହାଇଦ୍ରାବାଦ:ତେଲେଙ୍ଗାନାରେ ପୁଣି ଦେଖିବାକୁ ମିଳିଛି ଶିକ୍ଷା ବିଭାଗରେ ତ୍ରୁଟି । ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷା ଜାରି ଥିବା ବେଳେ ହ୍ବାଟ୍ସଆପରେ ମୋବାଇଲକୁ ମୋବାଇଲ ଘୁରି ବୁଲିଲା ହିନ୍ଦୀ ପ୍ରଶ୍ନପତ୍ର । ୱାରାଙ୍ଗଲ ଜିଲ୍ଲାରେ ଶିକ୍ଷା ବିଭାଗର ଏଭଳି ଅବହେଳା ସାମ୍ନାକୁ ଆସିଛି । ଏନେଇ ମଣ୍ଡଳ ରେଭେନ୍ୟୁ ଅଫିସର ଓ ସର୍କଲ ଇନିସପେକ୍ଟର ପରୀକ୍ଷା କେନ୍ଦ୍ରର କର୍ମଚାରୀଙ୍କ ପ୍ରଶ୍ନ କରିଥିବା ବେଳେ କେନ୍ଦ୍ରରୁ କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନଥିବା ସେମାନେ ସ୍ପଷ୍ଟ କରିଛନ୍ତି ।
ହନୁମାକୋଣ୍ଡା ଜିଲ୍ଲାର ଉପଲ ପରୀକ୍ଷା କେନ୍ଦ୍ରରେ ହିନ୍ଦୀ ପରୀକ୍ଷା ପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି । କିପରି ଓ କେଉଁ ସ୍ଥିତିରେ ହିନ୍ଦୀ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଛି ସେନେଇ ରାଜ୍ୟ ଶିକ୍ଷା ମନ୍ତ୍ରୀ ସବିତା ଇନ୍ଦ୍ରା ରେଡ୍ଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୱାରଙ୍ଗଲ ଓ ହନୁମାକୋଣ୍ଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସେ କଥା ହୋଇଥିବା କହିଛନ୍ତି । ୱାରଙ୍ଗଲ ଜିଲ୍ଲା ଶିକ୍ଷା ଅଧିକାରୀ ବାସନ୍ତୀ କହିଛନ୍ତି, "ହ୍ବାଟ୍ସଆପରେ ଯେଉଁ ପ୍ରଶ୍ନ ପତ୍ର ଭାଇରାଲ ହେଉଛି, ତାହା ଆଜିର ହିନ୍ଦୀ ପ୍ରଶ୍ନପତ୍ର ସହ ମେଳ ଖାଉଛି । ପରୀକ୍ଷା କେନ୍ଦ୍ରକୁ କୌଣସି ନିରୀକ୍ଷକଙ୍କୁ ମୋବାଇଲ ନେଇ ଯିବାକୁ ଅନୁମତି ନଥିଲା । ତେବେ କେଉଁଠାରୁ ପ୍ରଶ୍ନପତ୍ର ଲିକ ହୋଇଛି ତାହା ଜଣାପଡିନାହିଁ । ଏ ନେଇ ୱାରଙ୍ଗଲ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ ହୋଇଛି । "