ନୂଆଦିଲ୍ଲୀ: ପୂର୍ବ ଲଦାଖ ଗଲୱାନ ଉପତ୍ୟାକାରେ ଘଟିଥିବା ଭାରତ-ଚୀନ ସଂଘର୍ଷରେ ଅଧିକ କ୍ଷତି ସହିଥିଲା ଡ୍ରାଗନ ସେନା । ଯେତିକି କ୍ଷତି ହୋଇଥିବା ଦାବି କରିଥିଲା ତା'ଠାରୁ କେତେ ଅଧିକ ଚୀନ ସୈନିକ ପ୍ରାଣ ହରାଇଥିଲେ । ଗଲୱାନ ନଦୀ ପାର୍ ବେଳେ ବହୁ ଡ୍ରାଗନ ସେନା ବୁଡି ଯାଇଥିଲେ । ସୈନିକଙ୍କ ମୃତ୍ୟୁ ସମ୍ପର୍କିତ ଏହି ପ୍ରକୃତ ତଥ୍ୟ ଆଜି ଯାଏଁ ଲୁଚାଉଛି ଚୀନ । ବୁଧବାର ଅଷ୍ଟ୍ରେଲୀୟ ଖବରକାଗଜ 'ଦ କ୍ଲାକ୍ସନ'ରେ ଏହି ଦାବି କରାଯାଇଛି । ଚୀନର କିଛି ଗବେଷକ ଏବଂ ବ୍ଲଗରମାନଙ୍କ ପକ୍ଷରୁ ପ୍ରଦତ୍ତ ତଥ୍ୟ ଆଧାରରେ ଏହି ଦାବି କରିଛି କ୍ଲାକ୍ସନ ।
ସୁରକ୍ଷା ଦୃଷ୍ଟିରୁ ସେମାନେ ନିଜ ନାମ ସାର୍ବଜନୀନ କରିନାହାନ୍ତି । ହେଲେ ସେମାନଙ୍କ ଦ୍ବାରା କରାଯାଇଥିବା ଅନୁସନ୍ଧାନରୁ ଗଲୱାନ ସଂଘର୍ଷର ଅନେକ ଲୁକାୟିତ ଘଟଣା ପଦାକୁ ଆସିଛି । ସଂଘର୍ଷ ନେଇ ଚୀନର ସମ୍ପୃକ୍ତ ସୋସିଆଲ ମିଡିଆ ଗବେଷକଙ୍କ ଦ୍ବାରା ପ୍ରଦତ୍ତ ଏହି ପ୍ରମାଣ, ଯାହା ଉପରେ କ୍ଲାକସନରେ ପ୍ରକାଶିତ ଖବର ଆଧାରିତ, ଏଥିରେ କୁହାଯାଇଛି, ସଂଘର୍ଷରେ ପାଞ୍ଚ ଜଣ ଚୀନ ସେନା ପ୍ରାଣ ହରାଇଥିବା ବେଜିଂ ପକ୍ଷରୁ କୁହାଯାଇଥିଲା । ହେଲେ ବାସ୍ତବରେ ଏହି ମୃତ୍ୟୁସଂଖ୍ୟା ଏହାଠୁ ବହୁତ ଅଧିକ ଥିଲା ।