ଥିରୁଅନନ୍ତପୁରମ: କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟକୁ କେରଳବାସୀଙ୍କୁ ସମର୍ପିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କେରଳରେ ସାମ୍ପ୍ରଦାୟିକ ରାଜନୀତି ପାଇଁ କୌଣସି ସ୍ଥାନ ନାହିଁ ଏହା ସ୍ପଷ୍ଟ ହୋଇଯାଇଛି । ନିର୍ବାଚନ ଫଳାଫଳ ଅନୁଯାୟୀ LDF 99ଟି ଆସନ ହାସଲ କରି ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି ।
ଆଜି (ରବିବାର) ଦେଶର ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମତ ଗଣନା ଜାରି ରହିଛି । କେରଳରେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ମେଣ୍ଟକୁ ବହୁମତ ମିଳିପାରିନାହିଁ । ପୁଣି ଥରେ ପିନାରାୟୀ ବିଜୟନଙ୍କୁ କେରଳବାସୀ ବିଜୟୀ ମୁକୁଟ ପିନ୍ଧାଇଛନ୍ତି । କେରଳ ରାଜନୀତିରେ ଏଲଡିଏଫ ଓ ୟୁଡିଏଫ ସବୁବେଳେ କଡା ଟକ୍କର ହୋଇଥାଏ । ଚଳିତ ଥର କିନ୍ତୁ ବିଜେପି ନେତୃତ୍ବାଧୀନ ମେଣ୍ଟ ରାଜନୀତି ମଧ୍ୟ ସାମିଲ ହୋଇଥିଲା । ନିର୍ବାଚନ ପୂର୍ବରୁ ଶାସକ ୟୁଡିଏଫକୁ ଉଭୟ ଏଲଡିଏଫ ଓ ବିଜେପି ଶାସକ ଦଳର ଦୁର୍ନୀତିକୁ ନେଇ ସରକାରଙ୍କୁ ଘେରିଥିଲେ । କିନ୍ତୁ ତାହା ମଧ୍ୟ ନିର୍ବାଚନରେ ପ୍ରତିଫଳନ ହୋଇନାହିଁ । କେରଳବାସୀ ପୁଣି ଥରେ ପିନାରାୟୀ ବିଜୟନଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦ୍ବିତୀୟ ଥର ପାଇଁ ସୁଯୋଗ ଦେଇଛନ୍ତି ।