ନୂଆଦିଲ୍ଲୀ: କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀ ପୋଲିସ ଉଠାଇ ନେଇଛି । ଆଜି ପୂର୍ବାହ୍ନରେ ସେମାନେ ନୂଆ ସଂସଦ ଭବନ ଅଭିମୁଖେ ପଦଯାତ୍ରାରେ ବାହାରୁଥିବା ବେଳେ ବଳ ପ୍ରୟୋଗ କରି ପୋଲିସ ସେମାନଙ୍କୁ ବାଧା ଦେବା ସହ ଉଠାଇ ନେଇ ଅଟକ ରଖିଛି । ଏହା ସହ ସମଗ୍ର ଜନ୍ତରମନ୍ତରରେ ଧାରା-144 ଜାରି କରାଯାଇଛି । ଉକ୍ତ ସ୍ଥାନରେ କୌଣସି ଆନ୍ଦୋଳନ, ଧାରଣାକୁ ଏବେ ଅନୁମତି ମିଳିବ ନାହିଁ । କୁସ୍ତିଯୋଦ୍ଧାମାନେ ଆଉ ଜନ୍ତରମନ୍ତରକୁ ଫେରି ନପାରିବା ପାଇଁ ପୋଲିସ ସେମାନଙ୍କ ଦ୍ବାରା ବନ୍ଧାଯାଇଥିବା ଟେଣ୍ଟ ଓ କ୍ୟାମ୍ପକୁ ମଧ୍ୟ ହଟାଇ ଦେଇଛି ।
ଆଜି ଲୋକାର୍ପିତ ହୋଇଥିବା ନୂତନ ସଂସଦ ଭବନ ଆଡକୁ ଏହି ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ମାର୍ଚ୍ଚ ବାହାର କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଦିଲ୍ଲୀ ପୋଲିସ ବଳ ପ୍ରୟୋଗ କରିବା ସହ ସେମାନଙ୍କୁ ବାଧା ଦେଇଥିଲା । କୁସ୍ତିଯୋଦ୍ଧା ବିନେଶ ଫୋଗଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ସମେତ ଅନ୍ୟ କିଛି କୁସ୍ତିଯୋଦ୍ଧା ଓ ସେମାନଙ୍କ ସମର୍ଥନରେ ଜନ୍ତରମନ୍ତରରେ ବସିଥିବା ଖାପ ପଞ୍ଚାୟତର କିଛି କର୍ମକର୍ତ୍ତାଙ୍କୁ ପୋଲିସ ଉଠାଇ ନେଇଥିଲା । ଜନ୍ତରମନ୍ତର ଖାଲି କରିବା ବେଳେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା । ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଥିଲା । ଯାହାକୁ ରାଜନୀତି ମଧ୍ୟ ଆରମ୍ଭ ହେଲାଣି ।