ଲକ୍ଷ୍ନୌ: ଆଖଡା ପରିଷଦ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ତାଙ୍କ ମୃତ୍ୟୁ ପଛରେ ଏକ ବଡ ଷଡଯନ୍ତ୍ର ଥିବା କୁହାଯାଉଥିବା ବେଳେ ମାମଲାର ତଦନ୍ତ କରୁଛି CBI । ସେପଟେ ମହନ୍ତଙ୍କ ମୃତ୍ୟୁ ନେଇ ସନ୍ଦେହ ଘେରରେ ଅଛନ୍ତି ତାଙ୍କ ଶିଷ୍ୟ ଆନନ୍ଦ ଗିରି, ଆଦ୍ୟା ତିୱାରୀ ଓ ସନ୍ଦୀପ ତିୱାରୀ । ଘଟଣାକୁ ବହୁ ଦିନ ବିତିଥିଲେ ସୁଦ୍ଧା କେଉଁ ପରିସ୍ଥିତିରେ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ହେଲେ ସେନେଇ ଲାଗି ରହିଛି ସସପେନ୍ସ । ଇତିମଧ୍ୟରେ ମାମଲାର ନିଷ୍କର୍ସରେ ପହଞ୍ଚିବାକୁ ପ୍ରୟାଗରାଜ CJM କୋର୍ଟରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଆବେଦନ କରିଛି CBI । ଯାହାର ଶୁଣାଣି ଆସନ୍ତା ୧୮ ତାରିଖରେ କରିବେ କୋର୍ଟ ।
କୋର୍ଟ ଆଗରେ ନିଜର ପକ୍ଷ ରଖିବା ପାଇଁ ଅଭିଯୁକ୍ତଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ କରାଯିବ । ଏହି ମୃତ୍ୟୁ ମାମଲାର ରହସ୍ୟ ଭେଦ କରିବାକୁ ସିବିଆଇ ନିଜର ପୁରା ଦମ୍ ଲଗାଇଥିବାବେଳେ ତଦନ୍ତ ପ୍ରକ୍ରିୟା ରୂପେ ଟିମ୍ ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ମାଗିଛି । ସେପଟେ ଅଭିଯୁକ୍ତଙ୍କ ଓକିଲ ମଧ୍ୟ ପଲିଗ୍ରାଫ୍ ଟେଷ୍ଟ ବିରୁଦ୍ଧରେ କୋର୍ଟରେ ଆଉ ଏକ ଆବେଦନ କରିଛନ୍ତି ।