ପାଟନା:'ଜମି ବଦଳରେ ଚାକିରି ଦୁର୍ନୀତି'(land-for-job scam) ମାମଲାରେ ଆକ୍ସନ ମୋଡ୍ରେ ସିବିଆଇ(CBI) । ବୁଧବାର ବିହାରରେ ମହାମେଣ୍ଟ ସରକାର ବହୁମତ ସାବ୍ୟସ୍ତ କରିବାକୁ ଥିବାବେଳେ କେନ୍ଦ୍ରୀୟ ଏଜେନ୍ସି ଟିମ୍ ରାଷ୍ଟ୍ରୀୟ ଜନତା ଦଳ(RJD)ର ନେତାଙ୍କ ଘରେ ପଶିଥିଲା । ଆରଜେଡି ନେତାମାନଙ୍କ ଦିଲ୍ଲୀ, ପାଟନା ସମେତ ଏକାଧିକ ଠିକଣା ଚଢାଉ କରିଥିଲା । ଉଦ୍ଦେଶ୍ୟମୂଳକ ଭାବେ ଏହି ଚଢାଉ କରାଯାଇଥିବାର ଆରଜେଡି ନେତା କହୁଥିବା ବେଳେ ଚଢାଉ ସମୟରେ ସେମାନଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଜଣାପଡିଛି । ତେବେ ଏନେଇ ସିବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
ରେଲୱେ ଚାକିରି ଦୁର୍ନୀତି ମାମଲାରେ ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଏମଏଲସ ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅଶଫାକ୍ କରିମ୍ ଏବଂ ଫୈୟାଜ ଅହମ୍ମଦ ପ୍ରମୁଖ ନେତା ଏବେ ସିବିଆଇ ସ୍କାନରରେ ଅଛନ୍ତି । ଏହି ମାମଲାର ତଦନ୍ତ ପ୍ରକ୍ରିୟା ଭାବେ ବୁଧବାର ସକାଳେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି CBI ଟିମ୍ ପାଟନା, କଟିହାର ଏବଂ ମଧୁବନୀ ଅଞ୍ଚଳର ଅନେକ ସ୍ଥାନରେ ଛାପା ମାରିଥିଲା । ଏହାସହିତ ସିବିଆଇ ଗୁରୁଗ୍ରାମର ସେକ୍ଟର ୭୧ ସ୍ଥିତ ଅର୍ବାନ କ୍ୟୁବସ ମଲ୍ରେ ମଧ୍ୟରେ ରେଡ୍ କରିଥିଲା ।
ସୂତ୍ର ଅନୁସାରେ, ଆରଜେଡି ନେତାଙ୍କ ଏକାଧିକ ଠିକଣାରେ ଚଢାଉ ସମୟରେ ୨୦୦ରୁ ଅଧିକ ଜମି କାଗଜପତ୍ର ଜବତ ହୋଇଛି । ଏହାବ୍ୟତୀତ ୨୦ କେଜିରୁ ଅଧିକ ସୁନାଗହଣା ମିଳିଛି । କେବେଳ ଏତିକି ନୁହେଁ, RJD ଏମଏଲସି ସୁନୀଲ କୁମାର ସିଂହଙ୍କ ବିଭିନ୍ନ ଠିକଣାରୁ ଦିଲ୍ଲୀ ଗୁରୁଗାଓଁରେ ନିର୍ମାଣାଧୀନ ମଲ୍ର ପେପର ମଧ୍ୟ ସିବିଆଇ ହାତରେ ଲାଗିଛି । ରେଡ୍ ବେଳେ ୨,୫୯,୬୪୦ ନଗଦ ଟଙ୍କା ତାଙ୍କ ଘରୁ ଜବତ ହୋଇଛି । ପ୍ରାୟ ୧୩ ଘଣ୍ଟା ଧରି ସିବିଆଇ ସୁନୀଲଙ୍କ ଘରେ ଖୋଳତାଡ କରିଛି । ବିହାର ବିଧାନ ପରିଷଦ ସଦସ୍ୟ ସୁନୀଲ RJD ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ଅତ୍ୟନ୍ତ ଘନିଷ୍ଠ ଅଟନ୍ତି ।