ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ଅଡ଼ୁଆ ବଢ଼ି ଚାଲିଛି । ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ନେବା ମାମଲାରେ ମୋଇତ୍ରାଙ୍କୁ ବହିଷ୍କାର ପାଇଁ ସୁପାରିସ୍ କରିଛି ଲୋକସଭା ସଦାଚାର କମିଟି(ଏଥିକ୍ସ କମିଟି) । ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଏହି ମାମଲାର ତଦନ୍ତ କରୁଥିବା ସଦାଚାର କମିଟି କହିଛି ଯେ, ମୋଇତ୍ରାଙ୍କ ବିରୋଧରେ କଠୋର ଦଣ୍ଡବିଧାନ ହେବା ଉଚିତ୍ । ଯାହା ଲୋକସଭାରୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯିବା ବ୍ୟତୀତ ଆଉ କିଛି ହୋଇନପାରେ । ଏନେଇ କମିଟି ୫୦୦ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ପ୍ରସ୍ତୁତ କରିଛି । ଆଜି ଏହି ରିପୋର୍ଟକୁ ବାଚସ୍ପତିଙ୍କ ନିକଟକୁ ପଠାଯିବ । ଏହାପରେ ବାଚସ୍ପତି ନିଷ୍ପତ୍ତି ନେବେ ।
ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସି ସାଂସଦଙ୍କ ମହୁଆ ମୋଇତ୍ରାଙ୍କ ଉପରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବାର ଅଭିଯୋଗ ଆଣିଥିଲେ । ଦୁବେ ଏନେଇ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ । ବର୍ତ୍ତମାନ ଲୋକସଭା ସଦାଚାର କମିଟି ଏହି ମାମଲାର ଯାଞ୍ଚ କରୁଛି । ଦୁବେଙ୍କ ଅଭିଯୋଗ ଅନୁସାରେ, ନଗଦ ଏବଂ ଗିଫ୍ଟ ମାଧ୍ୟମରେ ସଂସଦରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ପ୍ରଶ୍ନ ପଚାରିବାକୁ ମୋଇତ୍ରା ଏବଂ ବ୍ୟବସାୟୀ ଦର୍ଶନ ହୀରାନ୍ଦାନୀଙ୍କ ମଧ୍ୟରେ ଲାଞ୍ଚର ନେଣଦେଣ ହୋଇଥିଲା । ଦୁବେଙ୍କ ଓକିଲ ଜୟଅନନ୍ତ ଦେହାଦ୍ରୋଇ ଏକ ଦସ୍ତାବିଜ ମଧ୍ୟ ଦାଖଲ କରିଥିଲେ, ଯେଉଁଥିରେ ମୋଇତ୍ରା ଏବଂ ହୀରାନନ୍ଦାନୀଙ୍କ ମଧ୍ୟରେ ଲାଞ୍ଚ କାରବାରର ପ୍ରମାଣ ଥିବା କୁହାଯାଇଥିଲା ।