ହାଇଦ୍ରାବାଦ:ଆସନ୍ତାକାଲି(6 ଫେବୃଆରୀ) କାନାଡା ବୈଦେଶିକ ମନ୍ତ୍ରୀ ମେଲାନେଇ ଜଲି ଭାରତ ଗସ୍ତରେ ଆସୁଛନ୍ତି । ଏହା ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ । ଗତକାଲି କାନାଡା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କର ଭାରତ ଗସ୍ତ ନେଇ ସ୍ପଷ୍ଟ କରାଯାଇଥିଲା । ସେ ଆସନ୍ତାକାଲି ଓ ପରଦିନ (7ତାରିଖ) ଦୁଇ ଦିନ ଭାରତରେ ରହିବା ସହ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସେ ନିଜ ପ୍ରତିପକ୍ଷ ଏସ. ଜୟଶଙ୍କରଙ୍କ ସହ ବୈଠକ କରିବେ । ଦୁଇ ଦେଶର ପାରସ୍ପାରିକ ସମ୍ପର୍କ ସହ ଏକାଧିକ ମିଳିତ ପ୍ରସଙ୍ଗରେ ଭାରତ-କାନାଡା ସମ୍ପର୍କର ସୁଦୃଢୀକରଣ ଉପରେ ଉଭୟ ନେତା ଆଲୋଚନା କରିବା ନେଇ କାନାଡା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରାକ୍ ଗସ୍ତ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ବୈଦେଶିକ ମନ୍ତ୍ରୀ ଜଲି ମଧ୍ୟ ନିଜେ ଟ୍ବିଟ୍ କରି ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କିହଛନ୍ତି, "ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କରେ ସୁଦୃଢୀକରଣ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ରଣନୀତି ପ୍ରସଙ୍ଗରେ ଆଲୋଚନାକୁ ଗୁରୁତ୍ବ ଦେବି ।" ବୈଦେଶିକ ମନ୍ତ୍ରଣାଳୟ ଜାରି କରିଥିବା ପ୍ରେସ ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି, ଏହି ଗସ୍ତ ସମୟରେ ସେ ଦୁଇ ଦେଶର ପାରସ୍ପରିକ ସମ୍ପର୍କ, ମିଳିତ ସ୍ବାର୍ଥ, ବାଣିଜ୍ୟିକ ସମ୍ପର୍କ ସହ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ଦିଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇବ । ଦିଲ୍ଲୀରେ ପହଞ୍ଚିବା ପରେ ସେ ତାଙ୍କ ପ୍ରତିପକ୍ଷ ଏସ ଜୟ ଶଙ୍କରଙ୍କୁ ସାକ୍ଷାତ କରିବେ । ଚଳିତ ଥର ଭାରତ ଅଧ୍ୟକ୍ଷତା ଜି-20 ସମ୍ମିଳନୀରର ଆୟୋଜନ ହେଉଥିବା ବେଳେ କାନାଡା ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି ।