ନୂଆଦିଲ୍ଲୀ/ଗାଜିଆବାଦ:ଦିଲ୍ଲୀ-ମିରଟ ଏକ୍ସପ୍ରେସ-ଓ୍ବେର ମସୁରୀ ନିକଟରେ ଏକ ବସ୍ ଭାରସାମ୍ୟ ହରାଇ ଫ୍ଲାଇଓଭର ତଳକୁ ଖସିପଡିଛି । ତେବେ ଏଥିରେ 20ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ଏକାଧିକ ଆମ୍ବୁଲାନ୍ସ ସହ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ଜାରି ରଖିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନି । ଯାତ୍ରୀଙ୍କ ମୋଟ ସଂଖ୍ୟା ବିଷୟରେ ମଧ୍ୟ କିଛି ସ୍ପଷ୍ଟ ହୋଇନି ।
ମସୁରୀର ଏସିପି ନରେଶ କୁମାରଙ୍କ ସୂଚନା ଅନୁସାରେ ଆଜି (ଗୁରୁବାର) ସଂଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଛି । ବସଟି ମିରଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । ମସୁରୀ ନିକଟରେ ନିୟନ୍ତ୍ରଣ ହରାଇ ବସଟି ଫ୍ଲାଇଓଭରର ରେଲିଂ ଭାଙ୍ଗି ତଳକୁ ଖସିପଡିଥିଲା । ପ୍ରାୟ 20 ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇବା ମାତ୍ରେ ପୋଲିସ ଓ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ବସରେ କେତେ ଯାତ୍ରୀ ଥିଲେ ସେ ନେଇ ତଦନ୍ତ ଜାରି ରହିଛି । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିୟମ ଅନୁସାରେ ଗ୍ରହଣ କରାଯିବ ।
ଏହା ମଧ୍ୟ ପଢନ୍ତୁ :- Mumbai Airport: ରନ୍-ଓ୍ବେରୁ ଖସିଲା ଚାର୍ଟାଡ ଫ୍ଲାଇଟ, ଏୟାରପୋର୍ଟରେ ଅପରେସନ୍ ବନ୍ଦ