ନୂଆଦିଲ୍ଲୀ:ଆସନ୍ତା ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନର୍ମଳା ସୀତରମଣ ଆର୍ଥିକ ବର୍ଷ 2023-24 ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ । ଉପସ୍ଥାପିତ ହେବାକୁ ଥିବା ବଜେଟରେ ଅନେକ ଜିନିଷ ଉପରେ ଆମଦାନୀ ଶୁଳ୍କ ବଢିବା ନେଇ ଘୋଷଣା ହୋଇପାରେ । ସରକାର ସାଧାରଣ ବଜେଟରେ 35ଟି ସାମଗ୍ରୀରେ ସୀମା ଶୁଳ୍କ ବୃଦ୍ଧି କରିବା ନେଇ ବିଚାର କରୁଛନ୍ତି ।
ସରକାର ଯେଉଁ ସମସ୍ତ ସାମଗ୍ରୀରେ ସୀମା ଶୁଳ୍କ ବୃଦ୍ଧି କରିବା ନେଇ ବିଚାର କରୁଛନ୍ତି ସେଥିମଧ୍ୟରେ ଘରୋଇ ଜେଟ୍, ହେଲିକପ୍ଟର, ହାଇ-ଏଣ୍ଡ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ , ପ୍ଳାଷ୍ଟିକ ସାମଗ୍ରୀ, ଗହଣା, ହାଇ ଗ୍ଲାସ ପେପର ଏବଂ ଭିଟାମିନ ରହିଛି । ଆମଦାନୀ ହ୍ରାସ କରିବା ଏବଂ ସ୍ଥାନୀୟ ଉତ୍ପାଦନ ବୃଦ୍ଧି ପାଇଁ ସୀମା ଶୁଳ୍କ ବୃଦ୍ଧି ପଦକ୍ଷେପ ନିଯାଯାଇଥିବା ସରକାରୀ ସୁତ୍ରରୁ ଜଣାପଡିଛି । ଗତମାସରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସମ୍ଭାବ୍ୟ ଆମଦାନୀ ଶୁଳ୍କ ବୃଦ୍ଧି ପାଇଁ ଅନାବଶ୍ୟକ ସାମଗ୍ରୀର ତାଲିକା ପ୍ରସ୍ତୁତ କରିବାକୁ ଅନ୍ୟ ମନ୍ତ୍ରଣାଳୟକୁ କହିଥିଲେ । ଶୁଳ୍କ ବଢାଇ ଏ ସବୁର ଆମଦାନୀ କମାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।