ବ୍ରହ୍ମପୁର:ଭୁଶୁଡିଲା ଆନ୍ଧ୍ର ଓ ଓଡ଼ିଶାକୁ ସଂଯୋଗ କରୁଥିବା ବ୍ରିଟିଶ ଅମଳର ବ୍ରିଜ । ଆଜି (ବୁଧବାର) ସକାଳେ ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମ ଠାରେ ବାହୁଦା ନଦୀ ଉପରେ ଥିବା ପୁରାତନ ବ୍ରିଜଟି ଭୁଶୁଡି ପଡିଛି । ସକାଳେ ଗ୍ରାନାଇଟ ବୋଝେଇ ଗୋଟିଏ ବଡ କଣ୍ଟେନର ଉକ୍ତ ବ୍ରିଜ ଦେଇ ଯାଉଥିବା ସମୟରେ ହଠାତ୍ ଏହା ଭୁଶୁଡି ଯାଇଛି । ଏଥିରେ କାହାର ମୃତ୍ୟୁ ହୋଇନଥିବା ବେଳେ କଣ୍ଟେନର ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଏବେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ତେବେ ବ୍ରିଜ ଭୁଶୁଡିବା ବେଳେ ସେଠାରେ କୌଣସି ଯାତ୍ରାବାହୀ ଗାଡି ନଥିବାରୁ ଏକ ବଡ ଅଘଟଣ ଟଳି ଯାଇଛି । ଏହି ପୁରୁଣା ପୋଲଟି ଆନ୍ଧ୍ର ଓ ଓଡ଼ିଶାକୁ ସଂଯୋଗ କରୁଥିବା ବେଳେ ଏହା ଭୁଶୁଡି ପଡିବା ଯୋଗୁଁ ଯାତାୟତରେ ଅନେକ ସମସ୍ୟା ହେବ ।
ବାହୁଦା ନଦୀ ଉପରେ ନିର୍ମିତ ଏହି ବ୍ରିଜ ଦେଇ ଗଞ୍ଜାମ ଜିଲ୍ଲା ପାତ୍ରପୁରକୁ ଅନେକ ଗାଡି ଯାତାୟତ କରିଥାଏ । ପାତ୍ରପୁର ବ୍ଲକ ସମେତ ଖାରିଆଗୁଡା ଅଞ୍ଚଳବାସୀ ଏହି ବ୍ରିଜ ଦେଇ ନିୟମିତ ଭାବେ ଗମନାଗମନ କରନ୍ତି । ବର୍ତ୍ତମାନ ବ୍ରିଜଟି ଭୁଶୁଡି ପଡିଥିବା ବେଳେ ଏହା ଉପରେ ନିର୍ଭର କରୁଥିବା ସ୍ଥାନୀୟବାସୀ ଯାତାୟତରେ ଅସୁବିଧା ଭୋଗିବେ । ପାତ୍ରପୁର ଅଞ୍ଚଳର ସୀମାନ୍ତରେ ରହୁଥିବା ଲୋକଙ୍କୁ ଏଣିକି ଅନ୍ୟ ଏକ ରାସ୍ତା ଦେଇ ଯାତାୟତ କରିବାକୁ ପଡିବ ।
୧୯୨୯ ମସିହାରେ ଇଂରେଜମାନେ ବାହୁଦା ନଦୀ ଉପରେ ଏହି ବ୍ରିଜ ନିର୍ମାଣ କରିଥିଲେ । ମୁଖ୍ୟତଃ ବାହୁଦା ନଦୀ ଉପରେ ସ୍ଥିତ ଏହି ପୁରାତନ ବ୍ରିଜ ଇଚ୍ଛାପୁରମ ଗ୍ରାମ ନିକଟରେ ଥିବାବେଳେ ଏହା ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଧିନରେ ରହିଛି ।