କୋଲକାତା: କୋଲକାତାର ଦୋହା ଉଡାଣ କରିବାକୁ ଥିବା ବିମାନରେ ବୋମା ଆତଙ୍କ । ଏପରି ଖବର ଛାଇଯିବା ପରେ ବିମାନରୁ ଓହ୍ଳାଇ ପଡିଲେ ଯାତ୍ରୀ । କତାର ଏୟାର୍ଓ୍ବେଜ୍ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ବିମାନ ଉଡାଣରେ ହେଲା ବିଳମ୍ବ । କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରୁ ସାମ୍ନାକୁ ଆସିଛି ଏପରି ଘଟଣା ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର 3ଟା 29 ମିନିଟ ସମୟରେ କୋଲକାତାରୁ ଦୋହା ଅଭିମୁଖେ ଉଡାଣ କରିବାର ଥିଲା କତାର ଏୟାରଓ୍ବେଜ ବିମାନ QR 541 । ଉଡାଣ ପୂର୍ବରୁ ସମସ୍ତ ଯାତ୍ରୀ ବିମାନକୁ ପ୍ରବେଶ କରିଥିଲେ । କିନ୍ତୁ ବିମାନ ଟେକ୍ ଅଫ୍ ପୂର୍ବରୁ ଜଣେ ଯାତ୍ରୀ ଉଚ୍ଚ ସ୍ବରରେ ବିମାନରେ ବୋମା ଥିବା କହିଥିଲେ । ଯାହାକୁ ନେଇ ବିମାନ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ସଙ୍ଗେସଙ୍ଗେ ସମସ୍ତ ଯାତ୍ରୀ ବିମାନରୁ ତଳକୁ ଓହ୍ଳାଇ ପଡିଥିଲେ ।
ଏହି ଖବର ସିଆଇଏସଫକୁ ଜଣାଯାଇଥିଲା। ତେବେ ବିମାନରେ ବୋମା ଥିବା କିପରି ଜାଣିଲ ବୋଲି ପଚାରିବାରୁ ଯୁବକ ଜଣଙ୍କ ତାଙ୍କୁ କେହି କହିଛନ୍ତି ବୋଲି କହିଥିଲେ । ଉକ୍ତ ଯୁବକଙ୍କୁ ତାଙ୍କ ପିତା ବିମାନକୁ ଛାଡିବାକୁ ଆସିଥିଲେ । ଏହା ଜଣା ପଡିବା ପରେ ସିଆଇଏସ୍ଏଫ୍ ଅଧିକାରୀ ମାନେ ତାଙ୍କ ପିତାଙ୍କ ସହ କଥା ହୋଇଥିଲେ । ସମ୍ପୃକ୍ତ ବ୍ୟକ୍ତି କହିଛନ୍ତି ଯେ, ତାଙ୍କ ପୁଅ ଏକ ବିରଳ ରୋଗରେ ପୀଡିତ । ଏହି କାରଣରୁ ସେ ବିମାନରେ ବୋମା ଥିବା ଚିତ୍କାର କରିଥିଲା ।