ଓଡିଶା

odisha

Presidential poll: ବିଜେପି ସାଂସଦ ସନ୍ନି ଦେଓଲଙ୍କ ସମେତ 8 ସାଂସଦ ଦେଲେନି ଭୋଟ

By

Published : Jul 19, 2022, 9:50 PM IST

ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଲେନି 2 ବିଜେପି ସାଂସଦଙ୍କ ସମେତ ମୋଟ 8 ସାଂସଦ । ବିଜେପି ସାଂସଦ ସନ୍ନି ଦେଉଲ ଓ ସଞ୍ଜୟ ଧୋତ୍ରେ ହସ୍ପିଟାଲରେ ଚିକିତ୍ସାଧୀନ । କଂଗ୍ରେସ, ସମାଜବାଦୀ ପାର୍ଟି, ବିଏସପି, ଶିବସେନା,AIMIM ଓ DMK ରୁ ରହିଛନ୍ତି ଜଣେ ଲେଖାଏଁ ସାଂସଦ । ଅଧିକ ପଢନ୍ତୁ

Presidential poll: ସନ୍ନି ଦେଓଲଙ୍କ ସମେତ 8 ବିଜେପି ସାଂସଦ ଦେଲେନି ଭୋଟ
Presidential poll: ସନ୍ନି ଦେଓଲଙ୍କ ସମେତ 8 ବିଜେପି ସାଂସଦ ଦେଲେନି ଭୋଟ

ନୂଆଦିଲ୍ଲୀ:ରାଷ୍ଟ୍ରପତି ନିର୍ବାଚନ ମତଦାନରେ ମତାଧିକାର ସାବ୍ୟସ୍ତ କରିନାହାନ୍ତି ବିଜେପି ସାଂସଦ ସନ୍ନି ଦେଓଲଙ୍କ ସମେତ ମୋଟ 8 ସାଂସଦ । ଏହି ସାଂସଦମାନେ ଏକାଧିକ କାରଣ ପାଇଁ ନିଜ ଭୋଟ ଦେଇ ପାରିନଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ 2ଜଣ ବିଜେପିରୁ ହୋଇଥିବା ବେଳେ କଂଗ୍ରେସ, ସମାଜବାଦୀ ପାର୍ଟି, ବିଏସପି, ଶିବସେନା, AIMIM ଓ DMK ରୁ ଜଣେ ଲେଖାଏଁ ସାଂସଦ ରହିଛନ୍ତି ।

ବିଜେପି ସାଂସଦ ସନ୍ନି ଦେଉଲଙ୍କ ବ୍ୟତୀତ ଅନ୍ୟ ଜଣେ ଦଳୀୟ ସାଂସଦ ସଞ୍ଜୟ ଧୋତ୍ରେ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିନାହାନ୍ତି । ସନ୍ନି ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ସାଂସଦ ସଞ୍ଜୟ ମଧ୍ୟ ICU ରେ ଚିକିତ୍ସାଧୀନ ରହିଥିବାରୁ ଭୋଟ ଦେବାକୁ ସଂସଦ ଆସି ପାରିନଥିବା ସୂଚନା ମିଳିଛି । ସେହିପରି ଶିବସେନା ସାଂସଦ ଗଜାନନ କିର୍ତ୍ତିକର ମଧ୍ୟ ଚିକିତ୍ସାଧୀନ କାରଣରୁ ମତଦାନରେ ଅଂଶଗ୍ରହଣ କରି ପାରିନାହାନ୍ତି ।

ସେହିପରି ବିଏସପି ସାଂସଦ ଅତୁଲ ସିଂ ଜେଲରେ ଥିବା କାରଣରୁ ଭୋଟ ଦେଇ ପାରିନାହାନ୍ତି । AIMIM ସାଂସଦ ଇନ୍ତିଆଜ ଜଲିଲ, କଂଗ୍ରେସ ସାଂସଦ ମହମ୍ମଦ ସାଦିକ୍କି, ସମାଜବାଦୀ ସାଂସଦ ସିଫିକୁର ରେହମାନ ବୁର୍କ ଏବଂ DMK ର ଟି.ଆର ପରିଭେନ୍ଦର ମଧ୍ୟ ଭୋଟ ଦେଇନଥିବା ସାଂସଦଙ୍କ ତାଲିକାରେ ରହିଛନ୍ତି ।

ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ତାଙ୍କ କ୍ୟାବିନେଟ ସହଯୋଗୀ ଆର.କେ ସିଂ କୋଭିଡ ଆକ୍ରାନ୍ତ ଥାଇ ମଧ୍ୟ ପିପିଇ କିଟ ପିନ୍ଧି ଭୋଟ ଦେବାକୁ ଆସିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ମଧ୍ୟ ବୟସାଧିକ ଅସୁସ୍ଥତା କାରଣରୁ ହ୍ବିଲ ଚେୟାରରେ ଆସି ନିଜ ମତାଧିକାର ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ଓଡିଶାର ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ ସୁଦ୍ଧା ସେ ମଧ୍ୟ ହ୍ବିଲ ଚେୟାର ଓ ଅକ୍ସିଜେନ ସପୋର୍ଟରେ ସଂସଦ ଭବନରେ ପହଞ୍ଚି ମତଦାନରେ ଅଂଶଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details